ଭୁବନେଶ୍ୱର,୧୩/୬ : ଆସନ୍ତା ୧୭ରେ ଓଡ଼ିଶା ଛୁଇଁବ ମୌସୁମୀ । ୧୭ରୁ ୨୧ ଭିତରେ ଉପକୂଳ ଓ ଆଭ୍ୟନ୍ତରରେ ଅଧିକ ବର୍ଷିବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।
ରାଜ୍ୟରେ ଜୁନ୍ ୧୪ ଯାଏ କିଛି ସ୍ଥାନରେ ହାଲୁକା ବର୍ଷା ହେବ । ୧୫ ଓ ୧୬ରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରାୟ ୪୦ ମିଲିମିଟର ବର୍ଷା ହେବ । ଆଭ୍ୟନ୍ତରରେ ୧୫ରୁ ୨୫ ମିଲିମିଟର ବର୍ଷା ହୋଇପାରେ । କେନ୍ଦ୍ରୀୟ ତଥା ଦକ୍ଷିଣ ଉପକୂଳରେ କମ୍ ବା ମାତ୍ର ୧୦ ମିଲିମିଟର ବର୍ଷା ହୋଇପାରେ ।
ଆସନ୍ତା ୪ ଦିନରେ ମୌସୁମୀ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗରେ ପହଞ୍ଚିବ । ସେହିଭଳି ୧୪ରୁ ୧୬ ଭିତରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ବୋଲି କୁହାଯାଇଛି । ରାଜ୍ୟରେ ସମ୍ଭାବ୍ୟ ବର୍ଷା ପାଇଁ ୧୩ରୁ ୧୬ ତାରିଖ ଯାଏ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।