ରାଜ୍ୟରେ ଆହୁରି ବଢ଼ିବ ତାତି : ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା

ଭୁବନେଶ୍ୱର ୦୯/୦୫: ରାଜ୍ୟରେ ଗରମ ପ୍ରକୋପ ଆହୁରି ବଢ଼ିବ । ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ କଲବଲ କରିବ ଗ୍ରୀଷ୍ମ ଜ୍ୱାଳା । ଆଭ୍ୟନ୍ତରୀଣ ଓଡ଼ିଶାରେ ନିଆଁ ବର୍ଷାକୁ ଉପକୂଳରେ ଗରମ, ଗୁଳୁଗୁଳି ଜ୍ୱାଳା ଅସମ୍ଭାଳ ହେବ। ଯଦିଓ କିଛି କିଛି ଜାଗାରେ କାଳବୈଶାଖୀଜନିତ ବର୍ଷା ହେବ, ମାତ୍ର ବିସ୍ତୃତ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବନି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆଗାମୀ ଦୁଇ ସପ୍ତାହ ପାଇଁ ବିସ୍ତାରିତ ପୂର୍ବାନୁମାନ ଜାରି କରିଛି । ଏହି ଆକଳନ ଅନୁସାରେ ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୩୮ରୁ ୪୧ ଡିଗ୍ରୀ ସେଲସିୟସ୍‌ ରହିପାରେ । ସ୍ୱାଭାବିକଠାରୁ ୧.୬ ଡିଗ୍ରୀରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିପାରେ ପାରଦ । ୧୦ରୁ ୧୪ ତାରିଖ ଯାଏଁ ରାଜ୍ୟର କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ (ହିଟ୍‌ ୱେଭ୍‌) ଏବଂ କେତେକ ସ୍ଥାନରେ ଗରମ ଓ ଗୁଳୁଗୁଳି ସ୍ଥିତି ନାକେଦମ କରିପାରେ ।
ବଡ଼ କଥା ହେଲା, ତା’ ପରବର୍ତ୍ତୀ ସପ୍ତାହରେ (୧୫ରୁ ୨୧ ମେ) ରାଜ୍ୟରେ ତାତିରୁ ବଡ଼ ଧରଣର ଆଶ୍ୱସ୍ତି ସମ୍ଭାବନା ନାହିଁ । ଅନେକ ସ୍ଥାନରେ ତାପମାତ୍ରା ୧ରୁ ୩ ଡିଗ୍ରୀ ଅଧିକ ରହିପାରେ, ସ୍ୱାଭାବିକ ତୁଳନାରେ । କିଛି ବର୍ଷା ବି ହୋଇପାରେ । ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼,ଗଞ୍ଜାମ ଓ ଗଜପତିରେ ଗରମ ଓ ଗୁଳୁଗୁଳି ପ୍ରକୋପ ନୟାନ୍ତ କରିପାରେ । ୧୦ ତାରିଖ (ଶନିବାର) ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧରେ ଗ୍ରୀଷ୍ମ ପ୍ରବାହ ଓ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଆଶଙ୍କା ଅଛି । ଏଭଳି ସ୍ଥିତି ୧୪ ତାରିଖ ପର୍ଯ୍ୟନ୍ତ ରହିବ । ତେବେ ପ୍ରତିଦିନ କିଛି କିଛି ଜାଗାରେ ବର୍ଷା ବି ହୋଇପାରେ