ଭୁବନେଶ୍ୱର,୧୯/୦୪: ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି । ଅନେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଛି । ଅନେକ ଚାଳ ଛପର ଘର ଛାତ ଉଡ଼ିଯାଇଛି । ବର୍ଷା ଯୋଗୁ ତାପମାତ୍ରା କିନ୍ତୁ ହ୍ରାସ ହୋଇଛି । ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକ, ଗଞ୍ଜାମ, ରାୟଗଡ଼ା ଆଦି ଅଞ୍ଚଳରେ ଶୁକ୍ରବାର ସକାଳ ସମୟରେ ବର୍ଷା ହୋଇଥିଲା । ପ୍ରବଳ ବର୍ଷା ସହ ଘଡ଼ଘଡ଼ି ବିଜୁଳି ମାରିଥିଲା । ସେହିପରି ସଂଧ୍ୟାରେ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ନବରଙ୍ଗପୁର, ଗଜପତି ଜିଲ୍ଲାର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡି଼ ସହ ପବନ ଘଣ୍ଟା ପ୍ରତି ବେଗ ୫୦ରୁ ୬୦ କିଲୋମିଟର ବହିଛି । କିଛି ଅଞ୍ଚଳରେ କୁଆପଥର ବର୍ଷା ମଧ୍ୟ ହୋଇଛି । ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ ବଜ୍ରପାତ ଯୋଗୁ ବିଲରେ କାମ କରୁଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଓ ବଡ଼ ଭାଇ ଗୁରୁତର ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ରେମୁଣାରେ ଜଣେ ଲୋକ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ବିଜୁଳିରେ ଜୀବନ ଯାଇଛି । ସେହିପରି ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକରେ ବଜ୍ରପାତରେ ୬ଟି ଗାଈ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱର ଓ କଟକ ସହର ଘଣ୍ଟାଏ ବର୍ଷାରେ ବେହାଲ୍ ହୋଇ ପଡିଥିଲା । ୩୦ରୁ ୪୦ କିମି ପବନରେ ଗଜପତି ନଗର, ଲକ୍ଷ୍ମୀସାଗର, ଖଣ୍ଡଗିରି, ଏଜି କଲୋନୀ, ଗୋପବନ୍ଧୁ ଛକରେ ଗଛ ଭାଙ୍ଗି ରାସ୍ତାରେ ପଡିଥିଲା । ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିଲା । ସେହିପରି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ଅନେକ ଟିଣ ଛପର ଘର ଉଡ଼ି ଯାଇଥିଲା । ଆଜି ଠୁ ରାଜ୍ୟରେ କାଳବୈଶାଖୀ ବର୍ଷା କମିବ । ଉତ୍ତର ଉପକୂଳ ଓ ସଂଲଗ୍ନ ଜିଲ୍ଲା ଯଥା କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ଆସନ୍ତା ୨ ଦିନ ପାଇଁ ଯାଏ ବର୍ଷା ସମ୍ଭାବନା ରହିଛି ।
ବଲାଙ୍ଗିରର ସୋନପୁର ଓ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବ । ୨୩ ତାରିଖରେ ତାପମାତ୍ରାରେ ପରିବର୍ତ୍ତନ ହେବା ସହ ୨୮ ତାରିଖରୁ ପ୍ରାୟ ୩ରୁ ୪ ଡିଗ୍ରୀ କମିବ । ୨୮ରୁ ବଙ୍ଗୋପସାଗରୀୟ ସାମୁଦ୍ରିକ ପବନ ସାରା ଓଡ଼ିଶାରେ ବହିବ । ସେହିପରି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି, ୨୦ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନାଗିରି, କୋରାପୁଟ, ରାୟଗଡ଼ାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ସମ୍ଭାବନା ରହିଛି । ୨୧ ତାରିଖରେ ରାୟଗଡ଼ା, କୋରାପୁଟ, ମାଲକାନାଗିରି, ଗଜପତି, ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ବର୍ଷା, ୫୦ରୁ ୬୦ କିଲୋମିଟର ବେଗରେ ପବନ ସହ ବିଜୁଳି, ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜର କିଛି ସ୍ଥାନରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ହେବ । କାଳବୈଶାଖୀ ବର୍ଷା ହେବ । ୨୨ ତାରିଖରେ ମାଲାକାନାଗିରି, କୋରାପୁଟ, ଗଜପତି, ଗଞ୍ଜାମ, ରାୟଗଡ଼ା, ନୟାଗଡ଼, କନ୍ଧମାଳରେ କାଳବୈଶାଖୀର ପୂର୍ବାନୁମାନ କରାଯାଇଛି । ୨୩ ଓ ୨୪ ତାରିଖରେ ମାଲକାନାଗିରିର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ପୂର୍ବାନୁମାନ କରାଯାଇଛି ।