ଉତ୍ତର ବଙ୍ଗୋପସାଗରରେ ଲଘୁଚାପ : ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୫/୮ : ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଘନୀଭୂତ ହୋଇ ଲଘୁଚାପର ରୂପ ନେଇ ସାରିଛି । ଲଘୁଚାପ ପ୍ରଭାବରେ ମୌସୁମି ସକ୍ରିୟ ହେବା ସହିତ ରାଜ୍ୟରେ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗିରହିବ। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ମୌସୁମି ଏବେ ସକ୍ରିୟ ଥିବାବେଳେ ଆସନ୍ତାକାଲିଠାରୁ ୨୮ ପର୍ଯ୍ୟନ୍ତ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବ।

ଆଜି ପାଇଁ ୧୧ଟି ଜିଲ୍ଲାରେ ରେଡ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୮ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅଗଷ୍ଟ ୨୬ ତାରିଖ ସକାଳ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ବର୍ଷା ଯୋଗୁଁ ପାଣି ଜମିବା, ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ରହିଛି । ଏପରିକି ପାହାଡିଆ ଅଂଚଳରେ ଭୂସ୍ଖଳନ ହୋଇ ପାରେ ବୋଲି ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ ।

ସେପଟେ ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ କନ୍ଧମାଳ ଜିଲ୍ଲା ପାଇଁ ୟେଲୋ ୱାର୍ନିଂ ଜାରି ହୋଇଛି ଏବଂ ଏହି ସବୁ ଅଂଚଳରେ କେତେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ । ଫଳରେ ତଳିଆ ଅଂଚଳରେ ପାଣି ଜମି ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି । ମାଟିଘର ଗୁଡିକ ପ୍ରଭାବିତ ହୋଇପାରେ ବୋଲି ଆକଳନ କରି ସତର୍କ ସୂଚନା ଜାରି କରିଛି ଆଇଏମଡି ।