କୋଲକତା,୬ /୪ : ଆଜି ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବା ପଶ୍ଚିମବଙ୍ଗର ୩୧ଟି ନିର୍ବାଚନ ମଣ୍ଡଳୀକୁ ନିର୍ବାଚନ ଆୟୋଗ ସମ୍ବେଦନଶୀଳ ଘୋଷଣା କରିବା ସହ ଜରୁରୀ ଆଦେଶ ବଳରେ ସମସ୍ତ ୩୧ଟି ନିର୍ବାଚନ ମଣ୍ଡଳୀରେ ଧାରା ୧୪୪ ଜାରି କରିଛନ୍ତି। ଏହି ସବୁ ଆସନଗୁଡିକ ମଧ୍ୟରେ ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାର ୧୬ଟି ଆସନ, ହୁଗୁଳିର ୮ଟି ଓ ହାଓଡ଼ାର ୭ଟି ଆସନ ରହିଛି।
ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟ ପୁଲିସ ବାହିନୀ ଯବାନମାନଙ୍କ ବ୍ୟତୀତ ୬୦୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ଅର୍ଦ୍ଧସାମରିକ ବାହିନୀ ଯବାନଙ୍କୁ ମୁତୟନ କରାଯାଇଛି। ମୋଟ୍ ୧୦ ହଜାର ୮୭୧ଟି ଭୋଟ ଗ୍ରହଣ ଆସନ୍ତାକାଲି ୭୮ ଲକ୍ଷ ୫୨ ହଜାର ୪୨୫ ଭୋଟର ୨୦୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।
ନିର୍ବାଚନ କମିଶନଙ୍କ ଧାରା ୧୪୪ ଜାରି ହେବ ପରେ ସେହି ସବୁ ସ୍ଥାନମାନଙ୍କରେ ଏକତ୍ରିତ ହେବା, ଚଳପ୍ରଚଳ କରିବା, ସାଧାରଣ ସଭା ଆୟୋଜନ କରିବା, ମାରଣାସ୍ତ୍ର ନେବା, ବାଡ଼ି, ବ୍ୟାନର ଓ ପ୍ଲାକାର୍ଡ଼ ଆଦି ନେବା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି। ସେହିପରି ସ୍ଲୋଗାନ ଦେବା ଏବଂ ଲାଉଡ଼ ସ୍ପିକର ବଜାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ତେବେ ଭୋଟଦାନ କେନ୍ଦ୍ର ମଧ୍ୟରେ ଏକତ୍ରିତ ହେବା ଉପରେ କଟକଣା ଲଗାଯାଇ ନାହିଁ। ଏତଦବ୍ୟତୀତ ଧାର୍ମିକ କାର୍ଯ୍ୟକ୍ରମ, ବାହାଘର ଓ ଶେଷକୃତ୍ୟ କ୍ଷେତ୍ରରେ ଏହି ପ୍ରତିବନ୍ଧକ ଲାଗୁ ହେବ ନାହିଁ ବୋଲି କମିଶନ ସ୍ପଷ୍ଟ କରିଛନ୍ତି। ତେବେ ଗିରଫ ପରୱାନା ଜାରି ହୋଇଥିବା ବ୍ୟକ୍ତି ଓ ବିଭିନ୍ନ ମାମଲାରେ ଅଭିଯୁକ୍ତଙ୍କୁ ମଙ୍ଗଳବାର ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଗିରଫ କରିବା ପାଇଁ ନିର୍ବାଚନ କମିଶନ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।