ପଶ୍ଚିମବଙ୍ଗରେ ‌ମୋଦୀ – ମମତା ଲଢ଼େଇ : ସ୍ଥିର ହୋଇପାରୁନି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ,୪ /୩ : ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦଳ ଟିଏମ୍‌ସି ପାଇଁ ବିଜେପି ମୁଖ୍ୟ ଚ୍ୟା‌ଲେଂଜର ହୋଇଛି। କିନ୍ତୁ ବିଜେପି ଏଯାଏଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ। ଲଗାତାର ତୃତୀୟ ଥର ପାଇଁ ସରକାର‌ରେ ଥିବା ମମତାଙ୍କୁ କିଏ ମୁକାବିଲା କରିବ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୨୦୧୬ରେ ବିଜେପି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମାତ୍ର ୩ଟି ଆସନ ପାଇଥିଲା। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ଏହା ୧୮ ଟି ଲୋକସଭା ଆସନ ଜିଣିଥିଲା। ଏହା ପରଠାରୁ ବିଜେପି ପଶ୍ଚିମବଙ୍ଗରେ ଏକ ବଡ଼ ଶକ୍ତି ଭାବେ ପରିଗଣିତ ହୋଇଛି। ତେବେ ବିଜେପି ଏଯାଏଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରିନଥିବାରୁ ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମମତାଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେବ ବୋଲି କୁହାଯାଉଛି।

ବିଜେପିର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ କେତେକ ପ୍ରମୁଖ ନାଁକୁ ନେଇ ଚର୍ଚ୍ଚା ହେଉଛି। କ୍ରିଟେକ୍‌ ଆଇକନ୍‌ ସୌରଭ ଗାଙ୍ଗୁଲି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାଲିକାରେ ଅଛନ୍ତି । ଗାଙ୍ଗୁଲି ଏଯାଏଁ ରାଜନୀତିରେ ଯୋଗ ଦେଇନାହାନ୍ତି କିନ୍ତୁ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ସେ ରାଜନୀତିରେ ଯୋଗ ଦେବେ ବୋଲି କୁହାଯାଉଛି। ରାଜ୍ୟ ବିଜେପି ମୁଖ୍ୟ ଦିଲିପ ଘୋଷ ମଧ୍ୟ ଏହି ତାଲିକାରେ ରହିଛନ୍ତି। ‌ଟିଏମ୍‌ସି ‌ନେତା ସୌଗତ ରାୟଙ୍କ ଭାଇ ତଥା ମେଘାଳୟର ପୂର୍ବତନ ରାଜ୍ୟପାଳ ତଥାଗତ ରାୟଙ୍କ ନାଁ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ ଥିବା ଜଣାପଡ଼ିଛି । ବିଜେପିରେ ସାମିଲ ହୋଇଥିବା ଟିଏମ୍‌ସିର ପୂର୍ବତନ ଟାଣୁଆ ନେତା ସୁଭେନ୍ଦୁ ଅଧିକାରୀ ମଧ୍ୟ ଏହି ଦୌଡ଼ରେ ଅଛନ୍ତି। କିନ୍ତୁ ଏଯାବତ୍‌ ବିଧିବଦ୍ଧ ଭାବେ କୌଣସି ଘୋଷଣା ହୋଇନଥିବାରୁ ପଶ୍ଚିମବଙ୍ଗରେ ସିଧାସଳଖ ମୋଦୀ ଏବଂ ମମତାଙ୍କ ମଧ୍ୟ‌ରେ ଲଢ଼େଇ ହେବ ବୋଲି କୁହାଯାଉଛି।