ନୂଆଦିଲ୍ଲୀ, ୩୦/୦୩ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୨୮୪ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଅଧୀର ରଞ୍ଜନ ଚୌଧୁରୀଙ୍କୁ କଂଗ୍ରେସ ବହରମପୁରରୁ ପ୍ରାର୍ଥୀ କରିଛି । ଭବାନୀପୁରରୁ ପ୍ରଦୀପ ପ୍ରସାଦଙ୍କୁ ପ୍ରାର୍ଥୀ କରଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତଥର ଭବାନୀପୁର ଆସନରୁ ଜିତିଥିଲେ। ମାଲତୀପୁରର କଂଗ୍ରେସ ପୂର୍ବତନ ସାଂସଦ ମୌସମ୍ ନୂର୍ଙ୍କୁ ପ୍ରାର୍ଥୀ କରିଛି । ପଶ୍ଚିମବଙ୍ଗରେ ମମତାଙ୍କ ଟିଏମ୍ସି ଓ ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ ହେବାକୁ ଥିବାବେଳେ କଂଗ୍ରେସ ନିର୍ବାଚନରେ ଏକୁଟିଆ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ପଶ୍ଚିମବଙ୍ଗରେ ଏପ୍ରିଲ ୨୩ ଓ ଏପ୍ରିଲ ୨୯ ତାରିଖରେ ମତଦାନ ହେବାକୁ ଥିବାବେଳେ ମେ’ ୪ ତାରିଖରେ ଫଳାଫଳ ଆସିବ। ୨୦୨୧ରେ ଆଠଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ମତଦାନ ଅନୁଷ୍ଠିତ ହୋଇଥିବାବେଳେ ତୃଣମୂଳ କଂଗ୍ରେସ ୨୧୩ଟି ଆସନ ଜିତି ବିପୁଳ ବିଜୟ ହାସଲ କରିଥିଲା । କଂଗ୍ରେସ ଓ ବାମପନ୍ଥୀ ଦଳ ମେଣ୍ଟ କରି ନିର୍ବାଚନ ଲଢ଼ିଥିବାବେଳେ କୌଣସି ଗୋଟିଏ ଆସନ ଜିତି ପାରିନଥିଲେ ।