କୋଲକାତା, ୫/୧୦ : ରବିବାର ସନ୍ଧ୍ୟାରେ ଟିଟାଗଡ଼ର ବିଟି ରୋଡରେ ଥିବା ପାର୍ଟି ଅଫିସରେ ପ୍ରବେଶ କରୁଥିବା ସମୟରେ ଜଣେ ୨୮ ବିଜେପି ନେତା ମନୀଷ ଶୁକ୍ଲାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୋଟର ସାଇକେଲରେ ଆସି ଜଣେ ୨ ଜଣ ଅଜ୍ଞାତ ବ୍ୟକ୍ତି ମନୀଷଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣାରେ ଆଜି ବାରାକପୋରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ।
ବିଜେପି ନେତାଙ୍କୁ ଯେଉଁ ବିଟି ରୋଡରେ ହତ୍ୟା କରାଯାଇଥିଲା, ସେହିସ୍ଥାନରୁ ମାତ୍ର ଅଳ୍ପ ଦୂରରେ ଥାନା ଅଛି । ପୋଲିସ କହିଛି, ବିଜେପି ନେତାଙ୍କ ଶରୀରର ଏକାଧିକ ସ୍ଥାନରେ ଗୁଳି ବାଜିଛି । ଘଟଣା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ମନୀଷଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ ଦୁର୍ବୃତ୍ତମାନେ ମୋଟର ସାଇକେଲରେ ଆସିଥିଲେ । ସେମାନେ ମୁଣ୍ଡ ଘୋଡେଇଥିଲେ । ହେଲମେଟ ମଧ୍ୟ ପିନ୍ଧିଥିଲେ । ମନୀଷଙ୍କୁ ଗୁଳି କରି ଆଖି ପିଛୁଳାକେ ସେଠାରୁ ଖସି ଯାଇଥିଲେ । ଏହି ଗୁଳିକାଣ୍ଡରେ ଅନ୍ୟ ୨ ଜଣ ବିଜେପି ନେତା ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ତେବେ ରାଜନୈତିକ ଶତ୍ରୁତାକୁ ନେଇ ଏହି ଗୁଳିକାଣ୍ଡ ହୋଇଥାଇପାରେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।