କ୍ରିକେଟରୁ ସନ୍ୟାସ ନେଲେ ଓ୍ୱେଷ୍ଟ ଇଣ୍ଡିଜ ଅଲରାଉଣ୍ଡର ସାମୁଏଲ୍ସ

ନୂଆଦିଲ୍ଲୀ, ୪/୧୧ : ଓ୍ୱେଷ୍ଟ ଇଣ୍ଡିଜ ଅଲରାଉଣ୍ଡର ମାର୍ଲୋନ ସାମୁଏଲ୍ସ ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ଓ୍ୱେଷ୍ଟ ଇଣ୍ଡିଜ ତରଫରୁ ଉଭୟ ଟି୨୦ ବିଶ୍ୱକପ (୨୦୧୨,୨୦୧୬)ର ବିଜୟୀ ଟିମର ସଦସ୍ୟ ଥିଲେ ।

ଇଏସପିଏନ କ୍ରିକେଟ୍ ଇନପୋର ରିପୋର୍ଟ ଅନୁସାରେ, ୩୯ ବର୍ଷୀୟ ସାମୁଏଲ୍ସ ଚଳିତ ବର୍ଷ ଜୁନରେ ନିଜ ଅବସର ବାବଦରେ କ୍ରିକେଟ ଓ୍ୱେଷ୍ଟଇଣ୍ଡିଜକୁ ସୂଚନା ଦେଇଥିଲେ । ସେ ଶେଷ ଥର ପାଇଁ ଡିସେମ୍ବର ୨୦୧୮ରେ ଦଳ ତରଫରୁ ଖେଳିଥିଲେ ।

ସାମୁଏଲ୍ସ ୨୦୧୨ ଟି୨୦ ବିଶ୍ୱକପର ଫାଇନାଲରେ ବିସ୍ଫୋରକ ଇନିଂସ ଖେଳି ଚର୍ଚ୍ଚାର ପରିଧିକୁ ଆସିଥିଲେ । ଶ୍ରୀଲଙ୍କା ବିପକ୍ଷ ଏହି ମ୍ୟାଚରେ ସେ ୫୬ ବଲରୁ ୭୮ ରନ୍ କରିଥିଲେ । ଏହାସହ ୪ ଓଭର ବୋଲିଂ କରି ୧୫ ରନ୍ ବିନିମୟରେ ଗୋଟିଏ ଓ୍ୱିକେଟ ନେଇଥିଲେ ।

ସେହିପରି କୋଲକାତାରେ ୨୦୧୬ ଟି୨୦ ବିଶ୍ୱକପ ଫାଇନାଲରେ ଇଂଲଣ୍ଡ ବିପକ୍ଷରେ ୬୬ ବଲରୁ ୮୫ ରନ୍ କରିଥିଲେ । ଏହି ମ୍ୟାଚକୁ ଇଣ୍ଡିଜ ୪ ଓ୍ୱିକେଟରେ ଜିତି ନେଇଥିଲା । ଏହି ଦୁଇଟି ଫାଇନାଲରେ ସେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ ।

ସେ ନିଜ କ୍ୟାରିଅରରେ ଅନେକ ଟି୨୦ ମ୍ୟାଚରେ ପ୍ରତିନିଧିତ୍ୱ କରିଛନ୍ତି । ସେ ଆଇପିଏଲରେ ଦିଲ୍ଲୀ ଡେୟାରଡେଭିଲ୍ସ ଓ ପୁଣେ ଓ୍ୱାରିଅର୍ସ ତରଫରୁ ଖେଳୁଥିଲେ । ସାମୁଏଲ୍ସ ଇଣ୍ଡିଜ ପକ୍ଷରୁ ୭୧ଟି ଟେଷ୍ଟ୍,୨୦୭ଟି ଦିନିକିଆ ଓ ୬୭ଟି ଟି୨୦ ଖେଳିଛନ୍ତି । ସେ ସମସ୍ତ ଫର୍ମାଟରେ ୧୧,୩୧୪ ରନ୍ କରିଛନ୍ତି । ଏପରିକି ୧୫୨ଟି ଓ୍ୱିକେଟ୍ ମଧ୍ୟ ନେଇଛନ୍ତି ।