ବର୍ଦ୍ଧମାନ,୨୧ /୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ରାଜନୈତିକ ହିଂସା ଦେଖିବାକୁ ମିଳିଲାଣି । ଆଜି ଅପରାହ୍ନରେ ପଶ୍ଚିମବଙ୍ଗ ବିଜେପିର ପୂର୍ବ ବର୍ଦ୍ଧମାନ ଜିଲ୍ଲା ପାର୍ଟି କାର୍ଯ୍ୟାଳୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ଫଳରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇ ଗୋଷ୍ଠୀର ସଦସ୍ୟମାନେ ପରସ୍ପର ଉପରକୁ ପଥର ଫିଙ୍ଗବା ସହ କାର୍ଯ୍ୟାଳୟ ପରିସର ନିକଟରେ ପାର୍କିଂ ହୋଇଥିବା ଗାଡିଗୁଡ଼ିକୁ ଜାଳି ଦେଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା।
ଏହି ଘଟଣାକୁ କେନ୍ଦ୍ର କରି ପଶ୍ଚିମବଙ୍ଗର ରାଜନୈତିକ ବାତାବରଣ ବେଶ ଉଷ୍ମ ହୋଇପଡ଼ିଛି। ବିଜେପି ଅଭିଯୋଗ କରି କରିଛି ଏହି ଘଟଣା ପଛରେ ଶାସକ ତୃଣମୂଳ କଂଗ୍ରେସ (ଟିଏମସି)ର ହାତ ଅଛି। ଅନ୍ୟପକ୍ଷରେ ରାଜ୍ୟର ଶାସକ ଦଳ ଟିଏମ୍ସି ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି। ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜେପି ଶିବିରରେ ଯୋଗ ଦେଇଥିବା ନୂତନ ଓ ପୂରାତନ ସଦସ୍ୟଙ୍କ ମଧ୍ୟରେ ବିବାଦର ଏହା ପ୍ରତିଫଳନ ବୋଲି ଟିଏମ୍ସି କହିଛି।