୫-ଟି କ’ଣ ? ଏଇଟା କି ବିଭାଗ : ଜୟନାରାୟଣ ମିଶ୍ର

ଭୁବନେଶ୍ବର : ୫-ଟି କ’ଣ ବୁଝାପଡ଼ୁନି। ଏଇଟା ବିଭାଗ କି ନୁହେଁ ? ଯଦି ବିଭାଗ, ତେବେ ତାହାର ଅଫିସ୍‌ କେଉଁଠି? ଲୋକସେବା ଭବନ ନା ଖାରବେଳ ଭବନ ନା ରାଜୀବ ଭବନ ? ସେହି ବିଭାଗର କର୍ମଚାରୀମାନେ କେଉଁଠି ବସୁଛନ୍ତି? ସୋମବାର ବିଧାନସଭାରେ ଏମିତି ପ୍ରଶ୍ନ କରିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ୫-ଟିର ଅସ୍ତିତ୍ବ ନେଇ ସରକାରଙ୍କୁ ଘେରିଥିଲେ। ଶାସକ ଦଳ ପକ୍ଷରୁ ତାହାର ତତ୍‌କାଳ ଜବାବ ଦିଆଯାଇଥିଲା।

ସୋମବାର ଶୂନ୍ୟକାଳରେ ବିରୋଧୀ ଦଳ ନେତା ଏହି ପ୍ରସଙ୍ଗ ଉଠାଇ କହିଲେ ଯେ ୫-ଟି ମାନେ ଟିମ୍‌ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟ୍ରାନ୍ସଫର୍ମେସନ୍ ଓ ଟାଇମ୍‌ ଲିମିଟ୍‌। ଏଗୁଡ଼ା ତ ପ୍ରତ୍ୟେକ ବିଭାଗ ପାଇଁ ଆବଶ୍ୟକ। ପ୍ରଶାସନରେ ଏମିତି ପଦବି କେଉଁଠି ଅଛି, ତାହା ଆମେ ଜାଣିପାରୁନୁ। ସବୁ ବିଭାଗକୁ ଠିକ୍ ଭାବେ ଚଳାଇବା ପାଇଁ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିସନର୍‌ ଅଛନ୍ତି। ପୁଣି ଜଣେ ଲୋକଙ୍କୁ ଆଣି ତାଙ୍କ ଉପରେ ରଖିବାକୁ ସରକାର ଚାହୁଁଛନ୍ତି କି? ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିସନର୍‌ଙ୍କ କ୍ଷମତା ସଙ୍କୁଚିତ ପାଇଁ ଏହି ବ୍ୟବସ୍ଥା କି? ଯଦି ଏଇଟା ଏକ ବିଭାଗ, ତେବେ ଏହି ବିଭାଗର ପ୍ରଶ୍ନୋତ୍ତର ପାଇଁ ବିଧାନସଭାରେ ବ୍ୟବସ୍ଥା କରାଯାଉ। ଆମେ ଏହି ବିଭାଗ ଉପରେ ପ୍ରଶ୍ନ କରିବୁ। ବାଚସ୍ପତି ଏ ଦିଗରେ ପଦକ୍ଷେପ ନିଅନ୍ତୁ।