ସକାଳେ ଜଳଖିଆ ସ୍ୱାସ୍ଥ୍ୟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ବିଶେଷ କରି ଜଳଖିଆରେ ପ୍ରତିଦିନ ପାଚିଲା ଫଳ ଶରୀରକୁ ଅନେକ ପୋଷକ ତତ୍ତ୍ୱ, ଖଣିଜ ପଦାର୍ଥ, ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଦାନ କରିଥାଏ । ଯାହା ଆମକୁ ଅନେକ ଗୁରୁତର ରୋଗରୁ ରକ୍ଷା କରେ ଏବଂ ଆମର ସ୍ୱାସ୍ଥ୍ୟ ସୁସ୍ଥ ରଖେ । ତେଣୁ ଆସନ୍ତୁ ଜାଣିବା ପ୍ରତିଦିନ ସକାଳେ ଖାଲି ପେଟରେ କେଉଁ କେଉଁ ଫଳ ଖାଇବା ଅଧିକ ଉପାଦେୟ ।
ତରଭୂଜ : ତରଭୂଜ ସବୁଠାରୁ ହାଇଡ୍ରେଟିଂ ଫଳ ମଧ୍ୟରୁ ଗୋଟିଏ । ଏହା ରକ୍ତଚାପକୁ ନିୟନ୍ତ୍ରଣ କରେ, ଲୌହ ଶୋଷଣରେ ସାହାଯ୍ୟ କରେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ତରଭୂଜ ପୋଟାସିୟମ୍, କପର ଏବଂ ଭିଟାମିନ୍ ସି, ଏ ଏବଂ ବି୫ରେ ଭରପୂର । ଏହା ବ୍ୟତୀତ, ତରଭୂଜ କୋଲାଜେନ୍ ଉତ୍ପାଦନକୁ ଉନ୍ନତ କରେ, ଯାହା ଚର୍ମକୁ ଅଧିକ ନମନୀୟ କରିଥାଏ ।
ଅମୃତଭଣ୍ଡା : ଏହା ଖାଲି ପେଟରେ ଖାଇବା ବହୁତ ଭଲ। ଏଥିରେ ପାପେନ୍ ନାମକ ଏକ ଏନଜାଇମ୍ ରହିଛି । NCBI ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଏହା ହଜମ ପାଇଁ ବହୁତ ଭଲ । ଅମୃତଭଣ୍ଡା ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏବଂ ଖାଦ୍ୟର ଭଲ ହଜମ କରିବାରେ ସାହାଯ୍ୟ କରେ ।
ଷ୍ଟ୍ରବେରୀ : ଷ୍ଟ୍ରବେରୀ ଖାଲି ପେଟରେ ଖାଇବା ଭଲ। ଷ୍ଟ୍ରବେରୀରେ ଫାଇବର ଏବଂ ମ୍ୟାଗ୍ନେସିୟମ୍ ଏବଂ ଭିଟାମିନ୍ ସି’ ଭଳି ପୁଷ୍ଟିକର ତତ୍ତ୍ୱ ରହିଥାଏ । ଏହା ଖାଲି ପେଟରେ ଖାଇବା ଦ୍ୱାରା ରକ୍ତ ଶର୍କରା ସ୍ତର ବୃଦ୍ଧି ପାଏ ନାହିଁ, ତେଣୁ ମଧୁମେହ ହେବାର ଆଶଙ୍କା କମାଇବାରେ ସାହାଯ୍ୟ କରେ।
କମଳା : କମଳାରେ ଭିଟାମିନ୍ ସି’ ଭରପୁର ମାତ୍ରାରେ ରହିଛି । ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିବା ପାଇଁ ଉତ୍କୃଷ୍ଟ । କମଳାରେ ପ୍ରଦାହ-ରୋଧୀ ଗୁଣ ଥାଏ । କମଳାରେ ଭିଟାମିନ୍ ବି, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଭଳି ପୁଷ୍ଟିକର ତତ୍ତ୍ୱ ମଧ୍ୟ ଭରପୂର ଥାଏ । ଏଥିରେ କ୍ୟାଲୋରି ମଧ୍ୟ କମ୍ ଥାଏ, ଯାହା ଲୌହ ଶୋଷଣ ଏବଂ ମଧୁମେହ ପରିଚାଳନାରେ ସାହାଯ୍ୟ କରେ ।
କଦଳୀ : କଦଳୀରେ ଫାଇବର ଏବଂ ପୋଟାସିୟମ, ଭିଟାମିନ ବି୬, ଏବଂ ଭିଟାମିନ ସି ପରି ଜରୁରୀ ପୁଷ୍ଟିକର ପଦାର୍ଥ ରହିଥାଏ । କଦଳୀ ପାଚନ ପ୍ରକ୍ରିୟାକୁ ଉନ୍ନତ କରିବାରେ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ତଥାପି, ଡାକ୍ତରମାନେ ସତର୍କ କରାଇ ଦେଇଛନ୍ତି ଯେ, ଖାଲି ପେଟରେ କଦଳୀ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇପାରେ, ଯାହା ମଧୁମେହ ରୋଗୀଙ୍କ ପାଇଁ ବିପଜ୍ଜନକ ହୋଇପାରେ ।
