କିମ୍ସ ନୂତନ ବ୍ୟାଚ ଛାତ୍ରଛାତ୍ରୀଙ୍କ ହ୍ୱାଇଟ କୋଟ୍ ସମାରୋହ

ଭୁବନେଶ୍ୱର, ୦୫/୧୧ : କିମ୍ସ ଓ କିଟ ଡେଣ୍ଟାଲ ସ୍କୁଲ ନୂତନ ବ୍ୟାଚ ଛାତ୍ରଛାତ୍ରୀଙ୍କ ହ୍ୱାଇଟ କୋଟ୍ ସମାରୋହ ଅନୁଷ୍ଠିତ । ଏଥିରେ କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, କିଟ ବିଶ୍ୱବିଦ୍ୟାଳୟ ଉପକୁଳପତି ଡା ସିବିକେ ମହାନ୍ତି, କିମସ ମେଡ଼ିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଆର. ସି. ଦାସ, କିମସ ମେଡିକାଲ୍ ଅଧୀକ୍ଷକ ଡା ମାନସ ରଞ୍ଜନ ବେହେରା, ଉପାଧ୍ୟକ୍ଷ ଡା. ଲଲାଟେନ୍ଦୁ ମହାନ୍ତି ଓ କିଟ୍‍ ଡେଣ୍ଟାଲ କଲେଜ ଡିନ୍‍ ଡ ଅବିକ୍ଷୀତ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ। କିମ୍ସ ରେ ଡାକ୍ତରୀ ଛାତ୍ରଛାତ୍ରୀମାନେ ସେମାନଙ୍କ ପାଞ୍ଚବର୍ଷୀୟ ପାଠ୍ୟକ୍ରମର ସଦୁପଯୋଗ କରିବାକୁ କିଟ୍‍ ଓ କିମ୍‍ସ ପ୍ରତିଷ୍ଠାତା ଡ. ସାମନ୍ତ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ। ଛାତ୍ରଛାତ୍ରୀମାନେ ସେମାନଙ୍କ ଜୀବନରେ ଶିକ୍ଷା ସହ ସଂସ୍କାର ନୀତି ପାଳନ କରିବାକୁ ଡ. ସାମନ୍ତ ସେମାନଙ୍କୁ ପ୍ରୋତ୍ସାହିତ କରିଥିଲେ। କିଟ୍‍, କିସ୍‍ ଓ କିମସରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ଭାବରେ ବିକାଶ କରିବା ପାଇଁ ଶିକ୍ଷା ସହିତ ସଂସ୍କାର ପ୍ରଦାନ କରାଯାଇଥାଏ।

କିମସରେ ଛାତ୍ରଛାତ୍ରୀମାନଙ୍କୁ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରାଯାଇଛି, ସେମାନେ ଏହାର ସଦୁପଯୋଗ କରିବା ଉଚିତ ବୋଲି କହିଛନ୍ତି ଡ.ସାମନ୍ତ। ଡା ସିବିକେ ମହାନ୍ତି ନୂତନ ଏମ୍‍ବିବିଏସ୍‍ ଓ ବିଡିଏସ୍‍ ବ୍ୟାଚ୍ କୁ କିମସରେ ଉପଲବ୍ଧ ବ୍ୟାପକ ସମ୍ବଳକୁ ସମ୍ପୂର୍ଣ୍ଣ ଉପଯୋଗ କରିବା ପାଇଁ ଉତ୍ସାହିତ କରିଥିଲେ। ଏମବିବିଏସ ଏକ ଚ୍ୟାଲେଞ୍ଜିଂ ପାଠ୍ୟକ୍ରମ ବୋଲି ସୂଚନା ଦେଇ ହ୍ୱାଇଟ୍ କୋଟ ସମାରୋହର ଗୁରୁତ୍ୱ ବିଷୟରେ ସେ କହିଥିଲେ। ଡା ଆର.ସି. ଦାସ ମାନବୀୟ ମୂଲ୍ୟବୋଧ ଓ କରୁଣା ଉପରେ ଗୁରୁତ୍ୱାରୋପ କରିଥିଲେ। ଡାକ୍ତରୀ ବୃତ୍ତିଗତମାନେ ସେମାନଙ୍କର ହ୍ୱାଇଟ୍‍ କୋଟ୍ ଗ୍ରହଣ କରିବା ସମୟରେ ମାନବୀୟ ମୂଲ୍ୟବୋଧ ଓ କରୁଣା ପାଳନ କରିବା ଉଚିତ। ନମ୍ରତା ହେଉଛି ହ୍ୱାଇଟ୍‍ କୋଟ୍ ର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ବୋଲି କହିଛନ୍ତି ଡାକ୍ତର ଆରସି ଦାସ। ଅନ୍ୟମାନଙ୍କ ମଧ୍ୟରେ କିମ୍‍ସ ପରାମର୍ଶଦାତା ଡା. ଆର ଏନ୍‍ ସାମନ୍ତ, ମେଡିସିନ୍‍ ବିଭାଗ ମୁଖ୍ୟ ଡା ଶୁଭ୍ରାଂଶୁ ପାତ୍ର ଓ ଗ୍ରୁପ୍‍ ଡାଇରେକ୍ଟର ଡ. ଦିଲ୍ଲୀପ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।