ସଫା ଚାଉଳର ଭାତ ଡାଇବେଟିସ୍‌ର କାରଣ : ୧୦ ବର୍ଷର ଗବେଷଣାରୁ ମିଳିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ

ବେଙ୍ଗାଲୁରୁ : ସଫା ଚାଉଳର ଭାତ ଡାଇବେଟିସ୍‌ର କାରଣ । ବିଶେଷ କରି ଦକ୍ଷିଣ ଏସିଆ ଦେଶଗୁଡ଼ିକରେ ଏହାର ବିପଦ ଅଧିକ । ୨୧ଟି ଦେଶରେ ୧,୩୦,୦୦୦ ବୟସ୍କ ବ୍ୟକ୍ତିଙ୍କୁ ନେଇ କରାଯାଇଥିବା ଗବେଷଣାରୁ ଏଭଳି ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି ।

ଭାରତ, ବ୍ରାଜିଲ, ଚୀନ ଭଳି ଦେଶର ଗବେଷକମାନେ ଏସିଆ, ଆଫ୍ରିକା, ଆମେରିକା ଓ ୟୁରୋପରେ ୧୦ ବର୍ଷ ଧରି ଗବେଷଣା କରି ଏଭଳି ତଥ୍ୟ ଦେଇଛନ୍ତି। ଭାବାଧରିଣୀ ବାଲାଜୀଙ୍କ ନେତୃତ୍ବରେ ଗଠିତ ଟିମ୍ ପ୍ରସ୍ତୁତ କରିଥିବା ତଥ୍ୟ ଡାଇବେଟିସ୍‌ କେୟାର ଜର୍ଣ୍ଣାଲରେ ସେପ୍ଟେମ୍ବର ସଂସ୍କରଣରେ ପ୍ରକାଶ ପାଇଛି ।

ଧାନରୁ ୩ଟି ସ୍ତର ବାହର କରିବା ପରେ ଧଳା ରଙ୍ଗର ଚାଉଳ ପ୍ରସ୍ତୁତ ହୋଇଥାଏ । ମିଲ୍‌ ମାଧ୍ୟମରେ ଏହି ଚାଉଳକୁ ପଲିସ୍‌ କରିବା ଦ୍ବାରା ଏଥିରୁ ଭିଟାମିନ୍‌—ବି ନଷ୍ଟ ହୋଇଥାଏ । ଧଳା ବା ସଫା ଚାଉଳ ଖାଇବା ଦ୍ବାରା ଏସିଆରେ ବେରିବେରି ବ୍ୟାପିଥିଲା ଯାହାକି ଭିଟାମିନ୍‌ ବି-୧ ଅଭାବରୁ ହୋଇଥାଏ । ଏହାସହ ଅଧିକ ଖାଇବା ଦ୍ବାରା ରକ୍ତରେ ସୁଗାର ସ୍ତର ବୃଦ୍ଧି ପାଉଥିବା ଜଣାପଡ଼ିଥିଲା । ଏବେ ବିଶ୍ବରେ ୪୨.୫ କୋଟି ଲୋକ ଡାଇବେଟିସ୍‌ରେ ପୀଡ଼ିତ । ୨୦୪୫ ସୁଦ୍ଧା ଏହି ସଂଖ୍ୟା ୬୨.୯ କୋଟିରେ ପହଞ୍ଚିବ ବୋଲି ଅନ୍ତର୍ଜାତୀୟ ଡାଇବେଟିସ୍‌ ଫେଡ୍ରେସନ୍‌ ପକ୍ଷରୁ ସୂଚନା ମିଳିଛି ।