ନୂଆଦିଲ୍ଲୀ,୨୭/୧ : ଆଉ ପ୍ରାୟ ଏକ ବର୍ଷ ହେବ ଲୋକ ସଭା ନିର୍ବାଚନ ପାଇଁ ସମୟ ରହିଛି । ଏହି ସମୟରେ ଲୋକ କାହାକୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବା ପାଇଁ ଚାହୁଁଛନ୍ତି ତାକୁ ନେଇ ‘ଇଣ୍ଡିଆ ଟୁଡେ’ ଏବଂ ‘ସି ଭୋଟରର’ ପକ୍ଷରୁ ଏକ ସର୍ବେକ୍ଷଣ କରାଯାଇଥିଲା । ଏବେ ନିର୍ବାଚନ ହେଲେ ଭାରତୀୟ ଜନତାପାର୍ଟି ସଂଖ୍ୟା ଗରିଷ୍ଠତା ହାସନ କରିବ ବୋଲି ମତ ପ୍ରକାଶ ପାଇଛି । ଭାଜାପା ପ୍ରାୟ ୨୮୪ ଆସନରେ ବିଜୟ ଲାଭ କରିବ ବୋଲି ଆକଳନ କରାଯାଉଛି । ଏହି ସର୍ବେକ୍ଷଣରେ ପ୍ରାୟ ୭୨ ପ୍ରତିଶତ ମୋଦୀଙ୍କ ସପକ୍ଷରେ ମତ ଦେଇଛନ୍ତି । ଏବେ ୬୭ ପ୍ରତିଶତ ଲୋକ ଏନ୍ଡିଏ ସରକାରଙ୍କୁ ସମର୍ଥନ କରୁଛନ୍ତି । କୋଭିଡ୍ ୧୯ ପରିଚାଳନା ସହ ଆର୍ଟିକିଲ୍ ୩୭୦ ଉଚ୍ଛେଦ ଏବଂ ରାମ ମନ୍ଦିର ନିର୍ମାଣକୁ ଅନେକ ମୋଦୀ ସରକାରର ବଡ ସଫଳତା ବୋଲି ମତ ଦେଇଛନ୍ତି । ହେଲେ ଦରଦାମ ବୃଦ୍ଧି ସହ ବେରୋଜଗାରୀକୁ ନେଇ ଅନେକ ଅସନ୍ତୁଷ୍ଟ ରହିଛନ୍ତି ।
ସେହିପରି ମୋଦୀଙ୍କ ଉତ୍ତରାଧିକାରୀ ନେଇ କରାଯାଇଥିବ ସର୍ବେକ୍ଷଣରେ ଅଧିକାଂଶ ଲୋକ ମୋଦୀଙ୍କୁ ଆଉଥରେ ପ୍ରଧାନମନ୍ତ୍ରୀ ଭାବେ ଚାହୁଁଥିବା ବେଳେ ୨୬ ପ୍ରତିଶତ ଅମିତ ଶାହ ଏବଂ ୨୫ ପ୍ରତିଶତ ଯୋଗୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପସନ୍ଦ କରିଛନ୍ତି । ୧୬ ପ୍ରତିଶତ ନୀତନ ଗଡକରୀ ଏବଂ ୬ ପ୍ରତିଶତ ରାଜନାଥ ସିଂଙ୍କ ସପକ୍ଷରେ ମତ ଦେଇଛନ୍ତି । କିଏ ଭଲ ପ୍ରଧାନମନ୍ତ୍ରୀ ସର୍ବେକ୍ଷଣରେ ୫୨ ପ୍ରତିଶତ ମୋଦୀଙ୍କୁ ପସନ୍ଦ କରିଥିବା ବେଳେ ୧୪ ପ୍ରତିଶତ ରାହୁଲଗାନ୍ଧି , ୫ ପ୍ରତିଶତ କେଜ୍ରିଓ୍ୱାଲଙ୍କ ସପକ୍ଷରେ ମତ ଦେଇଛନ୍ତି ।