ଫ୍ୟାସନ୍ ସୋ’ର କଳ୍ପନା କଲେ ହିଁ ଆଖି ଆଗରେ ୱାକ୍, ଡିଜାଇନ୍ ପୋଷାକ ଓ ଫେସନେବଲ୍ ମଡେଲ୍ ଚାଲି ଆସନ୍ତି । ଭିନ୍ନ ଭିନ୍ନ ଫ୍ୟାସନ୍ ସୋ’ରେ ମଡେଲଙ୍କୁ ଭିନ୍ନ ଧରଣର ପୋଷାକ ପିନ୍ଧି ରାମ୍ପୱାକ୍ କରୁଥିବାର ଦେଖିବାକୁ ମିଳିଥାଏ । ମାତ୍ର କେବେ କେଉଁ ମଡେଲଙ୍କୁ ଆପଣ କାଖରେ ଛୁଆ ଧରି ୱାକ୍ କରୁଥିବାର ଦେଖିଛନ୍ତି କି? ଏକ ଆଦିବାସୀ ଫେସନ୍ ସୋ’ର ଜଣେ ମଡେଲ୍ ଏପରି କରି ଏବେ ସଭିଙ୍କୁ ଚକିତ କରିଛନ୍ତି ।
ଏହି ମଡେଲଙ୍କ ନାମ ଆଲିଶା ଗୌତମ ଉରାଇଁ । ସେ ଅନେକ ବର୍ଷ ହେବ ମଡେଲିଂ କରୁଛନ୍ତି । ମାତ୍ର ନିକଟରେ ସେ କରିଥିବା ମଡେଲିଂ ତାଙ୍କୁ ଏକ ନୂଆ ପରିଚୟ ଦେଇଛି । ସେ ତାଙ୍କ ଶରୀରରେ ନିଜ ଛୁଆକୁ ଏକ ଧଳା ରଙ୍ଗର କପଡ଼ାରେ ବାନ୍ଧି କରି ମଡେଲିଂ କରି ବେଶ୍ ପ୍ରଶଂସା ସାଉଁଟିଛନ୍ତି । ଆଲିଶା ତାଙ୍କର ମତ ରଖି କହିଛନ୍ତି ଯେ, କିଛି ଦିନ ତଳେ ଜତରା ଆଦିବାସୀ ଫେସନ୍ ସୋ’ ହୋଇଥିଲା ।
ସେଠାରେ ସେ ଭାଗ ନେବା ପାଇଁ ନିଜ ୧୦ ମାସର ଝିଅକୁ ସାଥୀରେ ଧରି ଯାଇଥିଲେ । ଜଣେ ପରେ ଜଣେ ମଡେଲ୍ ୱାକ୍ କରି ଫେରୁଥାନ୍ତି । ଯେତେବେଳେ ଆଲିଶାଙ୍କ ପାଳି ଆସିଲା ତ ତାଙ୍କ ଝିଅ ତାଙ୍କ କାଖରୁ ଓହ୍ଲାଇଲା ନାହିଁ ଓ ଓହ୍ଲାଇବାରୁ କାନ୍ଦିବାକୁ ଲାଗିଲା । ଏହି କାରଣରୁ ଅନ୍ୟ କିଛି ଉପାୟ ନପାଇ ଏକ ଧଳା ପୋଷାକରେ ଝିଅକୁ ନିଜ ଶରୀରରେ ବାନ୍ଧି ଚାଲିବା ଆରମ୍ଭ କରିଥିଲେ । ସେ ଆହୁରି ବି କହିଛନ୍ତି ଯେ ଲୋକେ କ’ଣ ଭାବିବେ ତାହା ସେ ସମୟରେ ତାଙ୍କ ମୁଣ୍ଡରେ ପଶିଲା ନାହିଁ । ମାତ୍ର ଏହି କାରଣରୁ ସେ ପରବର୍ତ୍ତୀ ମୁହୂର୍ତ୍ତରେ ପ୍ରଶଂସାର ପାତ୍ରୀ ହୋଇଗଲେ ।
