ଭୁବନେଶ୍ୱର,୨୮/୬ : ଖୁବ ଶୀଘ୍ର ରାଜ୍ୟ କଂଗ୍ରେସକୁ ଲାଗିପାରେ ଡବଲ୍ ଝଟ୍କା । ଦଳ ସଜାଡିବାକୁ ନୂଆ ସଭାପତି ଉଦ୍ୟମ ଜାରି ରହିଥିବା ବେଳେ ଅନ୍ୟ ପଟେ ତୁଙ୍ଗ ନେତା ଦଳ ଛାଡିବେ ବୋଲି ଚର୍ଚ୍ଚା ହେଉଛି । ଏହିକ୍ରମରେ କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ଜଗତସିଂପୁର ଜିଲ୍ଲାର ଟାଣୁଆ ନେତା ଚିରଞ୍ଜୀବ ବିଶ୍ୱାଳ ଓ ତାଙ୍କ ସାନ ଭାଇ ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡିବା ନେଇ ରାଜନୀତି ମହଲରେ ଆଲୋଚନା ଜୋର ଧରିଛି । ଏହି ଉଭୟ କଂଗ୍ରେସ ନେତା କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବେ ବୋଲି ବିଭିନ୍ନ ଗଣମାଧ୍ୟମରେ ଆଲୋଚନା ହେଉଛି । ଏକଦା କଂଗ୍ରେସର ଦୁର୍ଗ ଭାବେ ପରିଚିତ ଜଗତସିଂପୁର ଜିଲ୍ଲାଟି ବର୍ତ୍ତମାନ ବିଜେଡି ଦଖଲକୁ ଯାଇଛି । ବର୍ତ୍ତମାନ ସ୍ଥିତିରେ ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଦାଶଙ୍କ ଦେହାନ୍ତ ଓ ଡ. ଦାମୋଦର ରାଉତଙ୍କ ବାର୍ଦ୍ଧକ୍ୟ ହେତୁ ଜିଲ୍ଲାରେ ଦଳ କ୍ରମଶଃ ଦୁର୍ବଳ ହେଉଛି । ଯଦିଓ ଉଭୟ ବରିଷ୍ଠ ନେତାଙ୍କ ଦୁଇ ପୁତ୍ର ବର୍ତ୍ତମାନ ବିଧାୟକ ଅଛନ୍ତି ସେମାନେ ଦଳୀୟ ମହଲରେ ସେତେଟା ପ୍ରଭାବ ବିସ୍ତାର କରିପାରୁନାହାନ୍ତି ।
ସୂଚନାନୁସାରେ, କେବଳ ଏହି ଦୁଇ ଛାମୁଆ ନେତା ନୁହଁନ୍ତି । ବରଂ ଚିରଞ୍ଜୀବଙ୍କ ନେତୃତ୍ବରେ ଜଗତସିଂହପୁର ଜିଲାରୁ ତାଙ୍କର ଅନେକ ସମର୍ଥକ ତଥା ଦଳର ପୂର୍ବତନ ବିଧାୟକ ପ୍ରାର୍ଥୀ, ପୂର୍ବତନ ପୌରାଧକ୍ଷ ମଧ୍ୟ ଦଳ ଛାଡିବେ ବୋଲି ଆଲୋଚନା ହେଉଛି । ଏହା ଭିତିରି ଏକ ଯୋଜନା ଶେଷ ପର୍ଯ୍ୟାୟରେ ପହଁଚି ଥିବା ବେଳେ କେଉଁ ମାନେ ଚିରଞ୍ଜୀବଙ୍କ ସହିତ ଦଳ ଛାଡିବେ ତାର ମଧ୍ୟ ଏକ ତାଲିକା ପ୍ରସ୍ତୁତ ସରି ଥିବା ଏକ ସୂତ୍ରରୁ ଜଣା ଯାଇଛି । ଅତି ନିକଟରେ ଏହା ବାସ୍ତବ ରୂପ ନେବ ବୋଲି ଆଭାସ ମିଳିଛି ।
ଜଗତସିଂହପୁର ଜିଲ୍ଲାରେ ବିଜୁ ଜନତା ଦଳର ନେତୃତ୍ୱ ଅଭାବ ହେତୁ ଦଳ କ୍ରମଶଃ ଦୁର୍ବଳ ହେଉଥିବା ଲକ୍ଷ୍ୟ କରି ବିଜେଡି ମୁଖିଆ କଂଗ୍ରେସର ଏହି ଦୁଇ ଟାଣୁଆ ନେତାଙ୍କୁ ଦଳକୁ ନେଇ ଦଳୀୟ ସ୍ଥିତିକୁ ମଜବୁତ କରିବାକୁ ଯୋଜନା କରୁଥିବା ନେଇ ରାଜନୈତିକ ପଣ୍ଡିତମାନେ ବିବେଚନା କରୁଛନ୍ତି । ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଶାସକ ବିଜୁ ଜନତା ଦଳର ନେତୃମଣ୍ଡଳୀ ଏପରି ରଣନୀତି କରି ପାରନ୍ତି । ତେବେ ଏସଂପର୍କରେ ଚିରଞ୍ଜୀବ କିମ୍ଵା ରଞ୍ଜୀବଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।