ନୂଆଦିଲ୍ଲୀ,୧୫ /୧୨: ଚାଷୀଙ୍କ ସମସ୍ୟାର ସମାଧାନ କେନ୍ଦ୍ର ସରକାର ନ କରନ୍ତି, ତେବେ ମୁଁ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଅନଶନ କରିବି’ ବୋଲି ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସାମାଜିକ କର୍ମୀ ଆନ୍ନା ହାଜାରେ ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଏକ ପତ୍ର ଲେଖି ଜଣାଇ ଦେଇଛନ୍ତି। କୃଷି ମନ୍ତ୍ରୀ ଶ୍ରୀ ତୋମାରଙ୍କୁ ଲେଖିଥିବା ପତ୍ରରେ ଆନ୍ନା କହିଛନ୍ତି ଯେ ‘ମୁଁ ଆପଣଙ୍କୁ ଆନ୍ଦୋଳନର ତାରିଖ ଏବଂ ସ୍ଥାନ ବିଷୟରେ ଜଣାଇବି’।
ମହାରାଷ୍ଟ୍ରର ସାମାଜିକ କାର୍ଯ୍ୟକର୍ତ୍ତା ତଥା ’ଦୁର୍ନୀତି ବିରୋଧରେ ଭାରତ’ ଆନ୍ଦୋଳନର ମୁଖ୍ୟ ପୁରୋଧା ଆନ୍ନା ହାଜାରେ କହିଛନ୍ତି ଯେ ନୂତନ କୃଷି ଆଇନକୁ ବିରୋଧ କରୁଥିବା ଚାଷୀଙ୍କୁ ଓ ସେମାନଙ୍କର ଦାବୀକୁ ସେ ସମର୍ଥନ କରୁଛନ୍ତି। ଚାଷୀମାନଙ୍କୁ ସେମାନଙ୍କର ହକ୍ ଓ ସେମାନଙ୍କ ଦ୍ୱାରା ଉତ୍ପାଦିତ ଫସଲର ଉପଯୁକ୍ତ ମୂଲ୍ୟ ଦାବୀ କରି କୃଷକମାନେ ଯେଉଁ ଆନ୍ଦୋଳନ ଆରମ୍ଭ କରିଛନ୍ତି, ସେ ତାହାକୁ ପୂର୍ଣ୍ଣ ପ୍ରାଣରେ ସମର୍ଥନ କରୁଛନ୍ତି। କୃଷକମାନଙ୍କର ଦାବୀ ଯଥାର୍ଥ ଥିବାବେଳେ ସରକାର ସେମାନଙ୍କର ଦାବୀ ପ୍ରତି କର୍ଣ୍ଣପାତ ନକରି ନିଜ ଜିଦ୍ରେ ଅଟଳ ରହିବା ପରିତାପର ବିଷୟ।