ଭୁବନେଶ୍ୱର,୨୯/୩ : ଆସନ୍ତା ମେ’ ୧୦ରେ ଅନୁଷ୍ଠିତ ହେବ ଝାରସୁଗୁଡ଼ା ଉପ ନିର୍ବାଚନ। ସେହିପରି ୧୩ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ନବ ଦାସଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଥିଲା। ଆଜି ନିର୍ବାଚନ କମିଶନ ପକ୍ଷରୁ ଉପ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏଠାରେ ବିଜେଡି କାହାକୁ ପ୍ରାର୍ଥୀ କରିବ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ବିଜେଡି ପରମ୍ପରାକୁ ବଜାୟୀ ରଖି ଇମୋସନାଲ କାର୍ଡ ଖେଳିବା ସହ ନବ ଦାସଙ୍କ ପରିବାରର କାହାକୁ ଟିକେଟ ଦେବ ନା ଆଉ କିଏ ଦଳର ପ୍ରାର୍ଥୀ ହେବେ, ତା’କୁ ନେଇ ସବୁଠି ଚର୍ଚ୍ଚା। ଏସବୁ ଭିତରେ ନବ ଦାସଙ୍କ ଝିଅ ଦୀପାଳି ନିଜର ପ୍ରତିକ୍ରିୟା ରଖିଛନ୍ତି। ନବ ଦାସଙ୍କ ମୃତ୍ୟୁ ପରେ ଦୀପାଳି ଏବେ ଟିକେଟ ପାଇବା ଦୌଡ଼ରେ ସବୁଠାରୁ ଆଗରେ ରହିଥିବା କୁହାଯାଛି।
କହିବାକୁ ଗଲେ ଦୀପାଳି ତାଙ୍କ ବାପା ନବ ଦାସଙ୍କ ସ୍ଥାନରେ ପ୍ରାର୍ଥୀ ହେବାକୁ ଗୋଡ଼ ଟେକି ବସିଛନ୍ତି। ହେଲେ ଆଜି ସେ ତାଙ୍କ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋର୍ଟକୁ ବଲ ଫିଙ୍ଗିଛନ୍ତି। ସେ ସିଧାସଳଖ ପ୍ରାର୍ଥୀ ହେବେ କି ନାହିଁ ସେକଥା କହି ନାହାନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରେ ଯାହାକୁ ପ୍ରାର୍ଥୀ କରିବେ ତାଙ୍କୁ ନବ ଦାସଙ୍କ ପରିବାର ସମର୍ଥନ କରିବ ବୋଲି ସେ କହିଛନ୍ତି।
ଦୀପାଳି କହିଛନ୍ତି, “ଆଜିକୁ ଠିକ୍ ୨ ମାସ ତଳେ ବାପାଙ୍କ ଦେହାନ୍ତ ହୋଇଥିଲା। ଠିକ୍ ଦୁଇ ମାସ ପରେ ଉପ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଏହା ଆମ ସମସ୍ତଙ୍କ ପାଇଁ ବେଶ ଭାବପ୍ରବଣର ଦିନ। ଆମେ କେବେ ଭାବି ନଥିଲୁ ଯେ ବାପାଙ୍କ ଆସନରେ ଉପ ନିର୍ବାଚନ ହେବ। ଆମ ପରିବାର ଉପରେ ବାପାଙ୍କ ଆଶୀର୍ବାଦ ରହିଛି।
ମୁଖ୍ୟମନ୍ତ୍ରୀଙ୍କ ଉପରେ ଆମର ପୂରା ଭରସା ଅଛି। ସେ ଯାହାକୁ ବି ନିର୍ଦ୍ଦେଶ ଦେବେ ବା ପ୍ରାର୍ଥୀ କରିବେ, ଆମ ପରିବାର ତାଙ୍କୁ ସମର୍ଥନ ଦେବ। ଜଣେ ବାପାଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ ହାତ ଆମ ଉପରେ ସର୍ବଦା ରହିଛି। ଆମେ ଉପ ନିର୍ବାଚନ ପାଇଁ ପୂରା ପ୍ରସ୍ତୁତ ରହିଛୁ। ତଥାପି ମୁଖ୍ୟମନ୍ତ୍ରୀ ଯାହା ବି ନିଷ୍ପତ୍ତି ନେବେ, ଆମେ ସେହି ଅନୁସାରେ ପ୍ରସ୍ତୁତ ହୋଇ ଲଢ଼ିବୁ।
