ଲକ୍ଷ୍ନୌ : ବିଧାନସଭାରେ ଅତିକ ଅହମ୍ମଦ ଓ ତାଙ୍କ ଭାଇ ଅସ୍ରଫ ଓରଫ ଖାଲିଦ ଆଜମୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ କି ନା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ ୫ ଥର ବିଧାୟକ ଥିଲେ। ସେହିପରି ତାଙ୍କ ଭାଇ ଅସ୍ରଫ ମଧ୍ୟ ବିଧାନସଭା ସଦସ୍ୟ ଥିଲେ। ତେବେ ସେମାନଙ୍କର ହତ୍ୟା ହୋଇଯାଇଥିବା ବେଳେ ବିଧାନସଭାରେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ କି ନା ସେ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ତେବେ ଏ ନେଇ ବିଧାନସଭା ବିଜନେସ୍ ଆଡଭାଇଜରି କମିଟି ନିଷ୍ପତ୍ତି ନେବେ ବୋଲି ବାଚସ୍ପତି ସତୀଶ ମହାନା କହିଛନ୍ତି।
ପାରମ୍ପରିକ ରୂପେ ବିଧାନସଭାର ପ୍ରତ୍ୟେକ ଅଧିବେଶନ ଆରମ୍ଭରେ ଦିବଙ୍ଗତ ସଦସ୍ୟମାନଙ୍କୁ ଗୃହରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥାଏ। ତେବେ ପୂର୍ବତନ ବିଧାୟକ ଓ ପୂର୍ବତନ ସାଂସଦ ଅତିକ ଅହମ୍ମଦଙ୍କୁ ଏକ ଅପହରଣ ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଅତିକ ଅହମ୍ମଦ ଏଲହାବାଦ ପଶ୍ଚିମ ବିଧାନସଭା ନିର୍ବାଚନମଣ୍ଡଳିରୁ ୫ ଥର ବିଧାୟକ ନିର୍ବାଚିତ ହୋଇଥିବା ବେଳେ ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଫୁଲପୁରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।
ସେ ଏଲହାବାଦ ପଶ୍ଚିମରୁ ୩ ଥର ସ୍ୱାଧୀନ ବିଧାୟକ ଥିଲେ। ତେବେ ୧୯୯୬ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତି ୨୦୦୨ ନିର୍ବାଚନରେ ସେ ଆପନା ଦଳ ଟିକେଟ୍ରେ ତାଙ୍କ ଆସନ ସୁରକ୍ଷିତ ରଖିଥିଲେ। ବହୁଜନ ସମାଜପାର୍ଟିର ତତ୍କାଳୀନ ବିଧାୟକ ରାଜୁ ପାଲଙ୍କ ହତ୍ୟା ପରେ ସେହି ଆସନରୁ ତାଙ୍କ ଭାଇ ଅସ୍ରଫ ୨୦୦୫ରେ ସପା ଟିକେଟରେ ସେହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।