: ସାଧାରଣତଃ ଅକ୍ଟୋବର ମାସ ଠାରୁ ଶୀତର ପ୍ରଭାବ ଆରମ୍ଭ ହୋଇଥାଏ । ଏହି ସମୟରେ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ଫେରିଯାଇଥାଏ । ତେବେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅକ୍ଟୋବର ଶେଷ ସମୟରେ ରାଜ୍ୟରୁ ବିଦା ହୋଇଥିବାରୁ ଶୀତର ପ୍ରଭାବ ବିଶେଷ ଅନୁଭୂତ ହୋଇନାହିଁ । ଏବେ ବି ଲଘୁଚାପ ପ୍ରଭାବରେ ଆକାଶରେ ବର୍ଷା ଆନ୍ଦି ରହୁଥିବାରୁ ଶୀତର ପ୍ରକୋପ ବୃଦ୍ଧି ପାଇନାହିଁ । ଏଣୁ ଏଥର ଶୀତ ଆସିବାରେ ବିଳମ୍ବ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଅନ୍ୟପକ୍ଷରେ ଫୁଲବାଣୀ ସମେତ ସମଗ୍ର କନ୍ଧମାଳକୁ ଶୀତର ପହଲି ସ୍ପର୍ଶ ଛୁଇଁଛି । ଦୁଇ ଦିନ ହେବ ଫୁଲବାଣୀ ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ହାଲକା ଶୀତ ଅନୁଭୂତ ହେଉଛି । କନ୍ଧମାଳରେ ସର୍ବନିମ୍ନ ତାପମାତ୍ର ୧୫ ଡିଗ୍ରୀ ସେଲସିୟସ୍ ରହିଥିବାବେଳେ ଶୀତର ସ୍ପର୍ଶ ଅନୁଭୂତ ହେଉଛି । ସେହିପରି ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ମଧ୍ୟ ହାଲକା ଶୀତ ହେବା ସହ ସକାଳୁ କୁହୁଡ଼ି ପଡୁଥିବା ଦେଖିବାକୁ ମିଳୁଛି ।
ସେହିପରି ଝାରସୁଗୁଡ଼ାରେ ମଧ୍ୟ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି । ଫଳରେ ଜୀବନଯାତ୍ରା ବ୍ୟାହତ ହେଉଛି । କୁହୁଡ଼ିର ମାତ୍ରା ଏତେ ଅଧିକ ରହୁଛି ଯେ, ଯାନବାହାନ ଚଳାଚଳରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି ହେଉଛି । ବୁଧବାର ସକାଳ ୯ଟା ପର୍ଯ୍ୟନ୍ତ ଝାରସୁଗୁଡ଼ା ସହରର ସବୁଠି ଘନ କୁହୁଡ଼ି ଲାଗି ରହିଥିଲା । ଦୀପାବଳି ପରେ ଏତେ ପରିମାଣର କୁହୁଡ଼ି ଦେଖି ଦିଲ୍ଲୀ ଭଳି ଝାରସୁଗୁଡ଼ାରେ ମଧ୍ୟ ବାଣ ଫୁଟାଇବା ଯୋଗୁଁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଥିବା ଚର୍ଚ୍ଚା ଜୋର୍ ଧରିଛି ।