ଭୁବନେଶ୍ୱର, ୨୬/୦୧ : ବର୍ତ୍ତମାନ ରାଜ୍ୟର କିଛି କିଛି ସ୍ଥାନରେ ରାତି ତାପମାତ୍ରା ବଢୁଥିବା ବେଳେ ଅନ୍ୟ କିଛି ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତାକାଲିଠାରୁ ରାଜ୍ୟରେ ରାତି ପାରଦସ୍ତର ଧୀରେ ଧୀରେ ବଢ଼ିବା ଆରମ୍ଭ ହେବ। ଆସନ୍ତା ୪ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ତେଣୁ ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରି ରହିବ ସର୍ବନିମ୍ନ ରାତି ତାପମାତ୍ରା ୧୪ ଡିଗ୍ରି ମଧ୍ୟରେ ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆଜି ଠାରୁ ଶୀତ ଆହୁରି କମିବ। କାରଣ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ଘୁ.ଉଦୟଗିରିରେ ପାରଦ ୪.୮ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୯.୫, ଝାରସୁଗୁଡ଼ାରେ ୯.୬, ରାଉରକେଲାରେ ୯.୫, ସେମିଳିଗୁଡ଼ାରେ ୯.୪, ଭୁବନେଶ୍ବରରେ ୧୩.୪ ଏବଂ କଟକରେ ୧୩ଡିଗ୍ରୀ ରହିଛି। ରାଜ୍ୟର ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାର କିଛି କିଛି ଅଞ୍ଚଳ ଏବେ ବି ଥଣ୍ଡାର ପରିମାଣ ଜାରି ରହିଛି। ଘୁ. ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରି ରେକର୍ଡ ହୋଇଛି। ତେବେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାର କିଛି ଅଞ୍ଚଳରେ କୁହୁଡ଼ି ଦୃଶ୍ୟମାନ ହେବା ସମ୍ଭାବନା ରହିଛି। ତେଣୁ ଗାଡି ଚାଳକଙ୍କୁ ସୁରକ୍ଷିତ ଭାବେ ଗାଡି ଚାଲାଣ କରିବା ପାଇଁ ସୂଚନା ଦେଇଛି ପ୍ରଶାସନ।