ଭୁବନେଶ୍ୱର : ମୌସୁମୀ ଫେରିଯିବା ପରେ ରାଜ୍ୟକୁ ଶୀତ ଛୁଇଁଛି । ତେବେ ନଭେମ୍ବର ୫ ତାରିଖରୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ। ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରି ପର୍ଯ୍ୟନ୍ତ ଖସିବ। ଫଳରେ ସଂଧ୍ୟା ପରଠାରୁ ଥଣ୍ଡା ଲାଗିବା ଆରମ୍ଭ ହୋଇଯିବ। ବର୍ତ୍ତମାନ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ ଡିଗ୍ରି କମ୍ ଅର୍ଥାତ ୧୬ ଡିଗ୍ରି ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ରହିଛି। କିନ୍ତୁ ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ ଡିଗ୍ରି ଅଧିକ ରହିଛି। ଏଭଳି ତାପମାତ୍ରା ୨ରୁ ୩ ଦିନ ପର୍ଯ୍ୟନ୍ତ ଲାଗିରହିବ। ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏହା ପରେ ସର୍ବନିମ୍ନ ତାପମାତ୍ରା ଖସିବ ଓ ରାଜ୍ୟରେ ଶୀତ ଅନୁଭୂତ ହେବା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ଜାରି ରହିବ। ଉପକୂଳ ଓଡ଼ିଶାରେ ଆଂଶିକ ମେଘୁଆ ପାଗ ରହିବ ଓ କାଁ ଭାଁ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ। ଏହାପରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା କମିବାରେ ଲାଗିବ। ପାଖାପାଖି ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ପାରଦସ୍ତର ଖସିବ। ଫଳରେ ନଭେମ୍ବର ୫ ତାରିଖରୁ ରାଜ୍ୟରେ ଶୀତ ପଡ଼ିବା ଆରମ୍ଭ ହୋଇଯିବ।