କୃଷି ଆଇନ ପ୍ରତ୍ୟାହାରର ୩ଟି ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୦/୧୧ : ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନର ଦୀର୍ଘ ଦିନପ‌ରେ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ୩ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଛନ୍ତି। ଚଳିତ ମାସ ଶେଷରେ ସଂସଦର ଶୀତ ଅଧିବେଶନରେ ଏକ ସାମ୍ବିଧାନିକ ପ୍ରକ୍ରିୟା ଦ୍ବାରା ବିଲ୍‌ ଉଚ୍ଛେଦ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ଯେଉଁ ସମୟରେ ସରକାର କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ନେଇଛନ୍ତି ସେହି ସମୟକୁ ନେଇ ପ୍ରଶ୍ନ ଉଠିଛି। ମୋଦୀ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିବାର ୩ଟି ପ୍ରମୁଖ କାରଣ ରହିଛି।

ପ୍ରଥମ କାରଣ ଆଗକୁ ଉତ୍ତରପ୍ରଦେଶ, ପଂଜାବ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ ଏବଂ ଗୋଆରେ ବିଧାନସଭା‌ ନିର୍ବାଚନ ଥିବାରୁ ସରକାର ଏଥିପାଇଁ କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଦେଶରେ ୭୦୦ କୃଷକ ପ୍ରାଣ ହରାଇବା ପରେ ପ୍ରଧାନମନ୍ତ୍ରୀ କ୍ଷମା ମାଗିଲେ। କିନ୍ତୁ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଇନ ପ୍ରତ୍ୟାହାର ନେଇ କୌଣସି ବୟାନ ଦେଇନଥିଲେ। ଲଖିମପୁର ଖେରି ହିଂସା ଘଟଣାକୁ ନେଇ ସଂପୃକ୍ତ ମନ୍ତ୍ରୀ କାହିଁକି ଏଯାବତ୍ ଇସ୍ତଫା ଦେଇନାହାନ୍ତି ବୋଲି ପ୍ରଶ୍ନ କରି ଉତ୍ତରପ୍ରଦେଶରେ କଂଗ୍ରେସ ବିଜେପିକୁ ଟାର୍ଗେଟ୍‌ କରିଛି।

ଦ୍ବିତୀୟ କାରଣ ଭାବେ ବିଜେପି ନିକଟରେ ପଂଜାବ ପୌର ନିର୍ବାଚନ ଏବଂ ହରିୟାଣା ଉପନିର୍ବା‌ଚନରେ ପରାଜୟ ବରଣ କରିବା ପରେ ନିଷ୍ପତ୍ତି ବଦଳାଇଥିବା କୁହାଯାଉଛି। କୃଷକ ଆନ୍ଦୋଳନ ଭିତରେ କଂଗ୍ରେସ ଗତ ଫେବ୍ରୁଆରିରେ ହୋଇଥିବା ପୌର ନିର୍ବାଚନରେ ବଡ଼ ବିଜୟ ହାସଲ କରିଥିଲା। ଆଗାମୀ ବିଧାନସଭା ନିର୍ବାଚନରେ ବି କାଳେ ସମାନ ପ୍ରଭାବ ଦେଖିବାକୁ ମିଳିବ ସେହି ଭୟରେ ମୋଦୀ କୃଷି ଆଇନ ପ୍ରତ୍ୟାହାର କରିଛନ୍ତି ବୋଲି ବିରୋଧୀ ଦଳ ନେତାମାନେ ଦାବି କରିଛନ୍ତି।

ତୃତୀୟ କାରଣ ହେଉଛି ଆଗକୁ ଶୀତ ଅଧିବେଶନ ଥିବାରୁ ସରକାର ରଣନୀତି ବଦଳାଇଛନ୍ତି। ସଂସଦ‌ରେ ପୂର୍ବ ଅଧିବେଶନଗୁଡ଼ିକରେ ବିରୋଧୀ ଦଳଙ୍କ ଜୋରଦାର ବିରୋଧ ଏବଂ ଅସହଯୋଗ ପାଇଁ ଧୋଇ ଯାଇଥିଲା। ତେଣୁ ଆସନ୍ତା ୨୯ ତାରିଖରେ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ସରକାର ୩ କୃଷି ଆଇନ ପ୍ରତ୍ୟାହାର କରିବାପାଇଁ ନିଷ୍ପତ୍ତି ନେଇଛନ୍ତି।