ନୂଆଦିଲ୍ଲୀ, ୧୮/୧୨ : ଇପିଏଫ୍ଓ ସଦସ୍ୟଙ୍କ ପାଇଁ ଆସିଛି ବଡ଼ ଖବର । ଗୋଟିଏ କ୍ଲିକରେ ଉଠାଇବେ ଟଙ୍କା । ଏଟିଏମରୁ ପିଏଫ୍ ଟଙ୍କା ଉଠାଇ ହେବ । ସରକାରୀ ଅଫିସରେ ଚକ୍କର କାଟିବେନି ସଦସ୍ୟ । ଯଦି ଆପଣ ଜଣେ EPFO ସବସ୍କ୍ରାଇବର ତେବେ ଏହି ଖବର ଖାସ୍ ଆପଣଙ୍କ ପାଇଁ । EPFO ନିଜ ଗ୍ରାହକମାନଙ୍କ ପାଇଁ ଅନେକ ସୁବିଧା ଯୋଗାଇଥାଏ । କିନ୍ତୁ ଲୋକମାନେ ପ୍ରାୟତଃ ପିଏଫ୍ ଟଙ୍କା ଉଠାଇବା ସମୟରେ ନାନା ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଲୋକମାନେ ନିଜ ଟଙ୍କା ଉଠାଇବା ପାଇଁ ଭିନ୍ନ ଭିନ୍ନ ଫର୍ମ ପୂରଣ କରନ୍ତି । ତେବେ ଖୁବଶୀଘ୍ର EPFO ନିଜ ଗ୍ରାହକଙ୍କ ପାଇଁ ଖାସ୍ ସୁବିଧା ଆଣିବାକୁ ଯାଉଛି । ଏବେ ଲୋକମାନେ କେବଳ ଗୋଟିଏ କ୍ଲିକ୍ରେ ସେମାନଙ୍କର ପିଏଫ୍ ପାଣ୍ଠି ଉଠାଇ ପାରିବେ। କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିଆ କହିଛନ୍ତି ଯେ ପିଏଫ୍ ଉଠାଣ ପ୍ରକ୍ରିୟା ଖୁବ୍ ଶୀଘ୍ର ସହଜ ହୋଇଯିବ । ମାର୍ଚ୍ଚ ୨୦୨୬ ସୁଦ୍ଧା ୟୁପିଆଇ ଏବଂ ଏଟିଏମ୍ ମାଧ୍ୟମରେ ପିଏଫ୍ ଆକାଉଣ୍ଟରୁ ସିଧାସଳଖ ଟଙ୍କା ଉଠାଇ ପାରିବେ ହୋଲ୍ଡର ।
ସରକାର ୟୁପିଆଇ ଏବଂ ଏଟିଏମ୍ ସହିତ ପିଏଫ୍ ଲିଙ୍କ୍ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ମାର୍ଚ୍ଚ ପୂର୍ବରୁ କର୍ମଚାରୀମାନେ ସିଧାସଳଖ ଏଟିଏମ୍ ରୁ ପିଏଫ୍ ପାଣ୍ଠି ଉଠାଇ ପାରିବେ । ପିଏଫ୍ ଆକାଉଣ୍ଟଗୁଡ଼ିକୁ ବ୍ୟାଙ୍କ ଆକାଉଣ୍ଟ, ଆଧାର ଏବଂ ୟୁଏଏନ୍ ସହିତ ଲିଙ୍କ୍ କରାଯାଇଛି । ଏବେ EPFO ଉଠାଣ ଅପ୍ସନକୁ ଡେବିଟ୍ କାର୍ଡ ଏବଂ ATM ସହିତ କନେକ୍ଟ କରାଯିବ, ଯାହା ଦ୍ଵାରା କର୍ମଚାରୀମାନେ ଆବଶ୍ୟକ ହେଲେ ଯେକୌଣସି ସମୟରେ ସେମାନଙ୍କର PF ପାଣ୍ଠିରୁ ୭୫% ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ । ଏଥିପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି । ତେଣୁ PF ଆକାଉଣ୍ଟଧାରୀମାନେ ଏବେ କେବଳ ଗୋଟିଏ କ୍ଲିକରେ ଏହି ସୁବିଧା ପାଇପାରିବେ । ଏବେ ଆସନ୍ତୁ ବୁଝିବା ଏହା କିପରି ସମ୍ଭବ ହେବ।
ATM ରୁ PF ପାଣ୍ଠି କିପରି ଉଠାଇବେ?
ବର୍ତ୍ତମାନ ସୁଦ୍ଧା PF ଆକାଉଣ୍ଟଗୁଡ଼ିକୁ UPI ସହିତ ଲିଙ୍କ୍ କରିବାର କୌଣସି ଅପ୍ସନ ନାହିଁ । ଯେତେବେଳେ EPFO ଏହି ସୁବିଧା ଆରମ୍ଭ କରିବ ସେତେବେଲେ ଏକ ଅନଲାଇନ୍ ପ୍ରକ୍ରିୟା ଦିଆଯିବ । ଆଶା କରାଯାଉଛି ଯେ ଏହି ଫିଚର EPFO ମେମ୍ବର ପୋର୍ଟାଲ୍ ଏବଂ UMANG ଆପ୍ ଉଭୟରେ ଉପଲବ୍ଧ ହେବ ।
PF ଆକାଉଣ୍ଟକୁ UPI ସହିତ ଲିଙ୍କ୍ କରିବା ପାଇଁ UAN (ୟୁନିଭର୍ସାଲ୍ ଆକାଉଣ୍ଟ୍ ନମ୍ବର) ଆକ୍ଟିଭ୍ ରହିବା ସବୁଠାରୁ ଜରୁରୀ । ଏହା ସହିତ ମେମ୍ବରଙ୍କ ଆଧାର, ବ୍ୟାଙ୍କ ଆକାଉଣ୍ଟ ଏବଂ PAN କୁ UAN ସହିତ ଲିଙ୍କ୍ କରାଯିବା ଆବଶ୍ୟକ । ମୋବାଇଲ୍ ନମ୍ବର ମଧ୍ୟ ଆଧାର ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ କରାଯିବା ଆବଶ୍ୟକ । କାରଣ ପୁରା ପ୍ରକ୍ରିୟା OTP ଭେରିଫିକେସନ୍ ଉପରେ ଆଧାରିତ ହେବ । EPFO ଏପର୍ଯ୍ୟନ୍ତ ପ୍ରକ୍ରିୟା ସମ୍ପର୍କରେ କୌଣସି ନିର୍ଦ୍ଦେଶାବଳୀ ଜାରି କରିନାହିଁ । କିନ୍ତୁ ଅନୁମାନ କରାଯାଉଛି ଯେ ମେମ୍ବରମାନଙ୍କୁ EPFO ପୋର୍ଟାଲ୍ କିମ୍ବା UMANG ଆପ୍ରେ ଲଗ୍ ଇନ୍ କରିବାକୁ ପଡିବ । ସେଠାରେ ଏକ ନୂଆ ଅପ୍ସନ ଦେଖାଯିବ, ଯେପରିକି ‘UPI ସହିତ PF ଲିଙ୍କ୍ କରନ୍ତୁ’ କିମ୍ବା ‘UPI ମାଧ୍ୟମରେ PF ଉଠାଣ’ । ଏହି ଅପ୍ସନ ଉପରେ କ୍ଲିକ୍ କରିବା ପରେ, ମେମ୍ବରଙ୍କୁ ସେମାନଙ୍କର UPI ID ଏଣ୍ଟର କରିବାକୁ ପଡିବ । ପରେ Google Pay, PhonePe, Paytm, କିମ୍ବା BHIM ଭଳି UPI ଆପ୍ରେ ଏକ ନୋଟିଫିକେସନ୍ ଦେଖାଯିବ, ଯେଉଁଠାରେ ଆପଣଙ୍କୁ PF ଆକାଉଣ୍ଟ ଲିଙ୍କ୍ କରିବା ପାଇଁ ଅନୁମତି ଦେବାକୁ ପଡିବ। ଭେରିଫିକେସନ୍ ସରିବା ପରେ, PF ଆକାଉଣ୍ଟକୁ UPI ସହିତ ଲିଙ୍କ୍ କରାଯିବ । ପରେ UPI ମାଧ୍ୟମରେ ATM ରୁ ସିଧାସଳଖ ଟଙ୍କା ଟ୍ରାନ୍ସଫର କରାଯାଇ ପାରିବ । କିନ୍ତୁ EPFO ଏପର୍ଯ୍ୟନ୍ତ ଏହି ପ୍ରକ୍ରିୟାକୁ ନିଶ୍ଚିତ କରିନାହିଁ । ସରକାର କହିଛନ୍ତି ଯେ PF-UPI ଲିଙ୍କିଂ ହେଲେ EPFO ସଦସ୍ୟମାନେ ଆଶ୍ୱସ୍ତି ପାଇବେ । ଏହା PF ଟଙ୍କା ଉଠାଇବାକୁ ସହଜ କରିବ । ଏଥିପାଇଁ EPFO ସଦସ୍ୟମାନଙ୍କୁ ସେମାନଙ୍କର KYC ଅପଡେଟ୍ କରିବାକୁ ପଡିବ ।
