ଏଣିକି ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ କଲେ ବନ୍ଧା ହେବେ

ଭୁବନେଶ୍ୱର,୧୮ /୨: ବିଧାନସଭା ସାମ୍ନାରେ ଏକାଧିକ ଆତ୍ମାହୁତି ଘଟଣା ସାମ୍ନାକୁ ଆସିଥିବା ବେଳେ ଆଜି ପୁଣି ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉ ହେଉ ଗଲା କାଲିଠୁ ଆଜି ଭିତରେ ସାମ୍ନାକୁ ଆସିଛି ଦୁଇ ଦୁଇଟି ସମାନ ଘଟଣା । ଏହାକୁ ନେଇ ଏବେ ଆକ୍ସନକୁ ଆସିଛି ପୋଲିସ । ଏଣିକି ଆତ୍ମାହୁତି ଉଦ୍ୟମ କଲେ ବନ୍ଧା ହେବେ ବୋଲି ଚେତାବନୀ ଦେଇଛନ୍ତି ଭୁବନେଶ୍ବର ଡିସିପି । ଏଥି ସହ ଆତ୍ମାହୁତି ପାଇଁ ଉସ୍‌କାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ।

ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର । ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କୌଣସି ଅପରାଧ ଠାରୁ କମ୍‌ ନୁହେଁ । ତେଣୁ ଯିଏ ଏଭଳି ଉଦ୍ୟମ କରିବେ ସେ ଏଣିକି ବନ୍ଧା ହେବେ । ଏମିତିକି ଆତ୍ମାଦାହ ପାଇଁ ଉସ୍‌କାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯିବ । ଏହାକୁ ଏକ ଅପରାଧିକ କାର୍ଯ୍ୟ ବୋଲି ବିବେଚନା କରାଯାଇ ସେହି ହିସାବରେ ପଦକ୍ଷେପ ନେବ ପୋଲିସ । କୌଣସି ଅଭିଯୋଗ ଥିଲେ ଠିକ୍‌ ଜାଗାରେ ଜଣାନ୍ତୁ, ଏଭଳି ପଦକ୍ଷେପ ନେଲେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଭୁବନେଶ୍ବର ଡିସିପି ।