ଛାତରୁ ପଡ଼ି ଯୁବତୀଙ୍କ ମୃତ୍ୟୁ ମାମଲା: ପ୍ରେମିକ ଓ ଭଡ଼ାଟିଆ ଗିରଫ

ଭୁବନେଶ୍ୱର, ୨୭/୦୨ : ପାରାଦୀପ ତାରିଣୀଗଡାରେ ଛାତରୁ ପଡ଼ି ଯୁବତୀଙ୍କ ମୃତ୍ୟୁ ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ଯୁବତୀଙ୍କ ପୁରୁଷ ବନ୍ଧୁ ଏବଂ ଭଡ଼ାଟିଆ ବୋଲି ସୂଚନା ମିଳିଛି । ତେବେ ପୋଲିସ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ପ୍ରଦାନ କରିନାହିଁ । ଆଜି ସନ୍ଧ୍ୟାରେ ଜଗତସିଂହପୁର ଏସପି ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେବାର ସମ୍ଭାବନା ରହିଛି । ଗତ ସୋମବାର ସକାଳୁ ପାରାଦୀପ ତାରିଣୀଗଡାରେ ରହିଥିବା ଶମ୍ଭୁ ଖୁଣ୍ଟିଆଙ୍କ ଖୁଣ୍ଟିଆ ନିବାସ ଗ୍ରିଲ୍ ପାଖରେ ଜଣେ ମହିଳାଙ୍କ ମୃତ ଦେହ ପଡ଼ିଥିବା ଦେଖି ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିଲେ । ମହିଳା ଜଣକ ଉଲଗ୍ନ ଅବସ୍ଥାରେ ତଳେ ମୁହଁ ମାଡ଼ି ପଡ଼ିଥିବାବେଳେ ଏକ ପୋଷାକ କୋଠାର ଅଧାରେ ଝୁଲି ରହିଥିଲା । ଯୁବତୀ ଜଣକ ତିର୍ତ୍ତୋଲ୍ ଅଞ୍ଚଳର ଅଟନ୍ତି । ମୃତ୍ୟୁର ପୂର୍ବ ଦିନ ଅର୍ଥାତ୍ ଗତ ରବିବାର ଦିନ ଯୁବତୀ ଜଣଙ୍କ ଘରୁ ଶାରଳା ମନ୍ଦିର ଯିବାକୁ କହି ବାହାରି ଆସିଥିଲେ । ସେହିଦିନ ମଧ୍ୟାହ୍ନ ସମୟରେ ଏକ ଅଜଣା ନମ୍ବରରୁ ଯୁବତୀଙ୍କ ଭାଇଙ୍କ ପାଖକୁ ଫୋନ୍ ଆସିଥିଲା ଯେ ତୁମ ଭଉଣୀ ରାହାମା ପାଖରେ ଅଛି ତାକୁ ନେଇଯାଅ । ଏହା ପରେ ଉକ୍ତ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା । ପରିବାର ଲୋକେ ଯୁବତୀଙ୍କୁ ଖୋଜାଖୋଜି କରି ନପାଇବା ପରେ ତିର୍ତ୍ତୋଲ୍ ଥାନାରେ ନିଖୋଜ ଅଭିଯୋଗ କରିଥିଲେ ।