ଭୁବନେଶ୍ୱର, ୧୯/୧୨ : ଅମୃତ ଭଣ୍ଡା ପଡି ଚାଲିଗଲା ମହିଳାଙ୍କ ଜୀବନ l ଏମିତି ଅଘଟଣ ଘଟିଛି କନ୍ଧମାଳ ଜିଲ୍ଲା ମହାସିଙ୍ଗ ପଂଚାୟତର ଗୋଛାପଡା ଗାଁରେ l ଅମୃତ ଭଣ୍ଡାଟିର ଓଜନ ଥିଲା ୭ କେଜିରୁ ଉର୍ଦ୍ଧ l ଏହି ଅମୃତ ଭଣ୍ଡାଟି ମହିଳାଙ୍କ ଛାତିରେ ପଡିଥିଲା l ଫଳରେ ଦୁର୍ଘଟଣା ସ୍ଥାନରେ ଚାଲିଯାଇଛି ମହିଳାଙ୍କ ଜୀବନ l ତରକାରୀ ପାଇଁ ଗୋଚ୍ଛାପଡା ଗାଁର ନିଜ ମାଉସୀଙ୍କ ଘରକୁ ଅମୃତ ଭଣ୍ଡା ତୋଳିବାକୁ ଯାଇଥିଲେ ଚନ୍ଦ୍ରକଳା l ତେବେ ଗଛଟି ପ୍ରାୟ କୋଡିଏ ଫୁଟ ଉଚ୍ଚ ହୋଇଥିବା କାରଣରୁ ମହିଳା ଜଣକ ଏକ ଦଉଡି ଖଟରେ ଚଢି ଅମୃତ ଭଣ୍ଡା ତୋଳୁଥିଲେ l ସେହି ସମୟରେ ଖଟର ଦଣ୍ଡା ଭାଙ୍ଗି ଯିବାରୁ ମହିଳା ଜଣକ ତଳେ ପଡି ଯାଇଥିଲେ l ଠିକ ଏହି ସମୟରେ ଦୁର୍ଭାଗ୍ୟବଶତଃ ଗଛରୁ ୭ କେଜି ୬୧୦ ଗ୍ରାମର ଅମୃତ ଭଣ୍ଡାଟି ମହିଳାଙ୍କ ଛାତି ଉପରେ ପଡି ଯାଇଥିଲା ମହିଳା ଜଣକ ଘଟଣା ସ୍ଥଳରେ ଅଚେତ ହୋଇଯାଇଥିଲେ l ପରିବାର ଲୋକ ବାଲିଗୁଡା ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ l ଏପରି ଏକ ଘଟଣା ପରେ ଗୋଚ୍ଛାପଡା ଗାଁରେ ଶୋକର ଛାୟା ଖେଳିଯାଇଛି l ଭଣ୍ଡାଟିକୁ ପୋଲିସ ଜବତ କରିଥିବା ବେଳେ ଏବେ ଭଣ୍ଡାଟି ପୋଲିସ ହେପାଜତରେ ଅଛି l ବାଲିଗୁଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଶବ ବ୍ୟବଛେଦ ପାଇଁ ପଠାଇଛି l
