ମାନବିକତା ଦେଖାଇଲେ ବିମାନ କର୍ମଚାରୀ : ମଝି ଆକଶରେ ପ୍ରସବ

ନୂଆଦିଲ୍ଲୀ ୨୫/୦୭: ମସ୍କଟରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଏକ ବିମାନରେ ଥାଇଲାଣ୍ଡର ଜଣେ ମହିଳା ସନ୍ତାନ ଜନ୍ମ ଦେଇଛନ୍ତି । ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି । ବିମାନ କର୍ମଚାରୀଙ୍କ ତତ୍ପରତା ଓ ତାଲିମର ଉଦାହରଣ ବୋଲି ଚର୍ଚ୍ଚା ହେଉଛି । ବିମାନ ଉଡ଼ାଣ ସମୟରେ ମହିଳାଙ୍କ ପ୍ରସବ ପୀଡ଼ା ଆରମ୍ଭ ହେବା ପରେ କ୍ୟାବିନ୍‌ କ୍ରୁ ନିଜର ଚିକିତ୍ସା ତାଲିମର ଉପଯୋଗ କରି ତୁରନ୍ତ ତାଙ୍କୁ ସହାୟତା ପ୍ରଦାନ କଲେ । ବିମାନରେ ଥିବା ଜଣେ ନର୍ସ ମଧ୍ୟ ସହଯୋଗ କଲେ, ଫଳରେ ସୁରକ୍ଷିତ ପ୍ରସବ ସମ୍ଭବ ହେଲା । ପାଇଲଟ୍‌ ତୁରନ୍ତ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲକୁ ସ୍ଥିତି ବିଷୟରେ ସୂଚନା ଦେଲେ ଏବଂ ମୁମ୍ବାଇ ଏୟାରପୋର୍ଟରେ ବିମାନ ଅବତରଣର ଅନୁମତି ମାଗିଲେ । ଅବତରଣ ମାତ୍ରେ ମହିଳା ଓ ନବଜାତକକୁ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଗଲା । ଏୟାରଲାଇନ୍‌ର ଜଣେ ମହିଳା କର୍ମଚାରୀଙ୍କୁ ମଧ୍ୟ ହସ୍ପିଟାଲରେ ମୁତୟନ କରାଗଲା । ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ଏହି ସମଗ୍ର ସମନ୍ୱୟକୁ ‘ସାମୂହିକ କାମ ଓ କରୁଣାର ଉଦାହରଣ’ ବୋଲି କହିଛି । ମା’ ଓ ଶିଶୁକୁ ନିଜ ଦେଶକୁ ଫେରିବାରେ କୌଣସି ସମସ୍ୟା ନ ହେବା ପାଇଁ ଏୟାରଲାଇନ୍‌ ମୁମ୍ବାଇ ସ୍ଥିତ ଥାଇଲାଣ୍ଡ ବାଣିଜ୍ୟ ଦୂତାବାସକୁ ମଧ୍ୟ ଏ ବିଷୟରେ ସୂଚନା ଦେଇଛି ।