ଆଜି ବିଶ୍ୱ ‘ମହିଳା ସମାନତା ଦିବସ’

ଭୁବନେଶ୍ୱର, ୨୬/୦୮ : ଅଗଷ୍ଟ ୨୬ ତାରିଖକୁ ‘ମହିଳା ସମାନତା ଦିବସ’ ଭାବରେ ପାଳନ କରାଯାଏ। ମହିଳାଙ୍କ ସ୍ଥିତିକୁ ମଜବୁତ କରିବା ଏବଂ ସମାଜର ପ୍ରତ୍ୟେକ କ୍ଷେତ୍ରରେ ପୁରୁଷଙ୍କ ପରି ସେମାନଙ୍କୁ ସମାନ ଅଧିକାର ଏବଂ ସମ୍ମାନ ପ୍ରଦାନ କରିବା ଆଜି ଦିନର ମୁଖ୍ୟ ଉଦ୍ଦେଶ୍ୟ | ଆଜିର ଦିନ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିଥାଏ । ଲିଙ୍ଗ ସମାନତା ଓ ନାରୀ ଅଧିକାର କ୍ଷେତ୍ରରେ ହୋଇଥିବା ଅଗ୍ରଗତିକୁ ସ୍ମରଣ କରିବା ଏବଂ ମହିଳାମାନେ କାର୍ଯ୍ୟକ୍ଷେତ୍ର, ଶିକ୍ଷାନୁଷ୍ଠାନ, ରାଜନୀତି ଓ ଅନ୍ୟାନ୍ୟ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକୁ ଉତ୍‌ଥାପନ କରିବା ଲାଗି ଏହି ଦିବସ ପାଳନ କରାଯାଏ । ଶିକ୍ଷା, ରୋଜଗାର ଏବଂ ନେତୃତ୍ୱ ପଦବୀ ସହିତ ଜୀବନର ସମସ୍ତ କ୍ଷେତ୍ରରେ ସମାନ ଅଧିକାର ପାଇଁ ଲଢ଼େଇ ଜାରି ରଖିବାକୁ ଏହା ଆମକୁ ସ୍ମରଣ କରାଏ । ଝିଅ-ପୁଅ ବାଛ ବିଚାର ନ କରି ଲିଙ୍ଗଗତ ସମାନତା ପାଇଁ ଠିଆ ହେବା, ସମାଜ ଗଠନ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ।

ମହିଳା ସମାନତା ଦିବସର ଏହି ଦିନ ଦୀର୍ଘ ଦିନର ସଂଘର୍ଷ ପରେ ୧୯୨୦ ରେ ଆମେରିକାର ମହିଳାମାନଙ୍କୁ ସରକାରୀ ଭୋଟ୍ ଅଧିକାର ପ୍ରଦାନ କରିବାର ନିଷ୍ପତ୍ତିକୁ ସ୍ମରଣ କରାଯାଇଥାଏ । ୧୯୨୦ରେ ଆମେରିକାର ସମ୍ବିଧାନରେ ମହିଳାମାନଙ୍କୁ ସମାନ ମତଦାନ ଦେବା ପାଇଁ ନବେ ଦଶମ ସଂଶୋଧନ ଆକାରରେ ଏକ ସଂଶୋଧନ କରାଯାଇଥିଲା । ୧୯୨୦ ଦଶକ ମଧ୍ୟଭାଗରେ, ଆମେରିକାର ୫୦ଟି ରାଜ୍ୟ ମଧ୍ୟରୁ ୩୫ ଟି ମହିଳାଙ୍କୁ ଭୋଟ୍ ଦେବାର ଅଧିକାର ପାଇଁ ଆଇନ ସପକ୍ଷରେ ଭୋଟ୍ ଦେଇଥିଲେ। ୧୯୨୦ ରେ ପ୍ରଥମ ଥର ମହିଳାମାନେ ଆମେରିକାରେ ଭୋଟ୍ ଦେବାର ଅଧିକାର ପାଇଲେ । ଏହା ପରେ, ୧୯୭୧ରେ, ଆମେରିକା ସଂସଦ ପକ୍ଷରୁ ପ୍ରତିବର୍ଷ ଅଗଷ୍ଟ ୨୬କୁ ତାରିଖକୁ ମହିଳା ସମାନତା ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଥିଲା। ଯାହା ପରଠୁ ସାରା ବିଶ୍ୱରେ ମହିଳା ସମାନତା ଦିବସ ପାଳନ କରାଯାଇଛି।

SBI_Festive_Digital Billboard