ଭୁବନେଶ୍ୱର, ୨୪/୧୨ : ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ବରଗଡ଼ ପାଲଟିବ ମଥୁରାନଗରୀ, ଗୋପପୁର ପାଲଟିବ ଅମ୍ବାପାଲି । ୭୮ ତମ ଧନୁଯାତ୍ରା ପାଇଁ ସାରା ସହର ଚଳଚଞ୍ଚଳ ହୋଇ ଉଠିଥିବାବେଳେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ବ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚର ସାଜସଜା କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ବେଳେ କଳାକାରମାନଙ୍କର ଅଭ୍ୟାସ ଶେଷ ହୋଇଛି। ୧୧ ଦିନ ଧରି ଚାଲିବ ମହାରାଜା କଂସଙ୍କ ରାଜୁତି। ଦ୍ଵାପର ଯୁଗର ଖଳନାୟକ ବରଗଡ଼ ଧନୁଯାତ୍ରାରେ ପାଲଟିବେ ମହାନାୟକ। ମହାରାଜା କଂସଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ମଥୁରା ନଗର।
ଚଳିତ ବର୍ଷ ୭୮ତମ ଧନୁଯାତ୍ରା ପାଳନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଏଥର ଧନୁଯାତ୍ରାକୁ ସ୍ମରଣୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଚଳିତ ଧନୁଯାତ୍ରାରେ ୨୨ ରୁ ଅଧିକ ମଞ୍ଚରେ ୨୦୦ରୁ ଅଧିକ କଳାକାର ନିଜର କଳା ପ୍ରଦର୍ଶନ କରିବେ। ପ୍ରଥମ ଦିନରେ ଦେବକୀଙ୍କ ସହ ବସୁଦେବଙ୍କର ବିବାହ, ଦୈବବାଣୀ, ଉଗ୍ରସେନଙ୍କ ଗାଦିଚ୍ୟୁତ ସହ କଂସ ମହାରାଜାଙ୍କ ରାଜୁତି ଆରମ୍ଭ ହେବ। ୧୧ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ। ଧନୁଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ଲାଗି ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥର ୧୫ ଲକ୍ଷରୁ ଅଧିକ ଦର୍ଶକଙ୍କ ସମାଗମ ହେବା ଲକ୍ଷ୍ୟ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବରଗଡର ବିଭିନ୍ନ ଛକରେ ଟ୍ରାଫିକ ପୋଲିସ ମୁତୟନ କରାଯିବା ସହ ବିଭିନ୍ନ ରାସ୍ତାକୁ ୱାନ ୱେ କରାଯାଇଛି। ଚୋରି ଡକାୟତି ସହିତ କିପରି ଅସାମାଜିକ କାର୍ଯ୍ୟକଳାପକୁ ରୋକାଯାଇପାରିବ ସେନେଇ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।