ଲାଇନ୍ ଜର୍ଜଙ୍କୁ ବଲ ମାରି ୟୁଏସ ଓପନରୁ ବିଦା ହେଲେ ବିଶ୍ୱର ୧ ନମ୍ବର ଟେନିସ ଖେଳାଳି ନୋଭାକ ଜୋକୋଭିକ

ନ୍ୟୁୟର୍କ, ୭/୯ : ଟେନିସର ଏକ ନମ୍ବର ଖେଳାଳି ନୋଭାକ ଜୋକୋଭିକଙ୍କୁ ୟୁଏସ ଓପନରୁ ଅପ୍ରତ୍ୟାଶିତ ଭାବେ ବାହାର କରାଯାଇଛି । ଲାଇନ୍ ଜର୍ଜଙ୍କୁ ବଲ ମାରିବା ଯୋଗୁଁ ତାଙ୍କୁ ଡ଼ିସକ୍ଵାଲିଫାଏ କରାଯାଇଛି | ରବିବାର ସର୍ବିଆର ଜୋକେଭିକ ଓ ସ୍ପେନର ପାବଲୋ କରେନୋ ବୁସ୍ତା ମଧ୍ୟରେ ଶେଷ-୧୬ (ପ୍ରି କ୍ୱାର୍ଟସ ଫାଇନାଲ) ମ୍ୟାଚ ଖେଳାଯାଉଥିଲା । ଜୋକୋଭିକ ମ୍ୟାଚର ପ୍ରଥମ ସେଟରେ ୫-୬ରେ ପଛୁଆ ଥିଲେ । ଏହି ସମୟରେ ସେ ଏକ ସର୍ଟ ଖେଳିଥିଲେ, ଯାହାକି ମହିଳା ଅଧିକାରୀଙ୍କ ଦେହରେ ବାଜିଥିଲା । ମହିଳା ଅଧିକାରୀ ଜଣକ ପଡ଼ିଯାଇଥିଲେ ।

ମାତ୍ର ଜୋକୋଭିକ ନିଜର ଭୁଲ ମନେକରି ମହିଳା ଅଧିକାରୀଙ୍କ ନିକଟକୁ ହାଲଚାଲ ଜାଣିବା ପାଇଁ ଦୌଡ଼ିଥିଲେ । କୁହାଯାଉଛି ଯେ, ଶ୍ୱାସକ୍ରିୟା ଜନିତ ଅସୁବିଧା ଯୋଗୁଁ ମହିଳା ଜଣକ ସେଠାରୁ କିଛି ସମୟ ପରେ ଉଠି ସେଠାରୁ ଯାଇଥିଲେ । ପୂରା ଘଟଣା ସଂପର୍କରେ ମ୍ୟାଚ ରେଫରି ୧୦ ମିନିଟ ଆଲୋଚନା କରିବା ପରେ ଜୋକୋଭିକଙ୍କ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କୁ ବିଜୟୀ ଘୋଷଣା କରାଗଲା । ଫଳରେ ଜୋକୋଭିକ କୋର୍ଟରୁ ବାହାରି ଯାଇଥିଲେ ।