ଚୀନରେ ଜିନ୍‌ପିଙ୍ଗ୍‌ଙ୍କୁ ନେଇ ନିଜ ଦଳ ଭିତରେ ତେଜୁଛି ଅସନ୍ତୋଷ : ଧ୍ୟାନ ହଟାଇବା ପାଇଁ ଭାରତ ସୀମାରେ ସଂଘର୍ଷ

ବେଜିଂ, ୨୦/୮: ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ବିରୋଧରେ ତାଙ୍କରି ଦଳ ଭିତରେ ଅସନ୍ତୋଷ ତେଜିବାରେ ଲାଗିଛି। ଚୀନ୍‌ କମ୍ୟୁନିଷ୍ଟ ଦଳରୁ ସୋମବାର ବହିଷ୍କୃତ ହୋଇଥିବା କାଇ ଜିଆ ନାମ୍ନୀ ଜଣେ ମହିଳା ଏହା ପ୍ରକାଶ କରିଛନ୍ତି। ସେ ଚୀନ୍‌ର କମ୍ୟୁନିଷ୍ଟ ଦଳ ଦ୍ୱାରା ପରିଚାଳିତ ଏକ ସ୍କୁଲରେ ଶିକ୍ଷକତା କରୁଥିଲେ । ସେ ଦଳର କର୍ମୀମାନଙ୍କୁ ପ୍ରଶିକ୍ଷଣ ଦେଉଥିଲେ। କିନ୍ତୁ ଜିନ୍‌ପିଙ୍ଗଙ୍କ ବିରୋଧରେ ବୟାନ ଦେବା କାରଣରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି।

ସେ କହିଛନ୍ତି ଯେ, ଜିନ୍‌ପିଙ୍ଗ ଚୀନ୍‌କୁ ସମଗ୍ର ବିଶ୍ୱର ଶତ୍ରୁ ଭାବେ ଉଭା କରାଇଛନ୍ତି। ସେ ଏକାକୀ ଚୀନ୍‌ ଓ କମ୍ୟୁନିଷ୍ଟ ପାର୍ଟିକୁ ଧ୍ୱଂସ କରିଦେଇଛନ୍ତି। ସେ ନିଜ ହାତରେ ସମସ୍ତ କ୍ଷମତା ଠୁଳ କରିବାକୁ ଉଦ୍ୟମ କରିଆସୁଛନ୍ତି । ଏହାକୁ ନେଇ ଦଳ ଭିତରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି । ହେଲେ କେହି ବି ପ୍ରକାଶ୍ୟରେ ଏନେଇ ମୁହଁ ଖୋଲୁନାହାନ୍ତି । କାରଣ ସେମାନେ ଭୟ କରୁଛନ୍ତି ଯେ ଏପରି କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଯେଉଁମାନେ ଦୁର୍ନୀତିଗ୍ରସ୍ତ ସେମାନେ ସରକାରଙ୍କ ବିରୋଧରେ ମୁହଁ ଖୋଲିବେନି। କାରଣ ଚୀନ୍‌ ସରକାର ଦୁର୍ନୀତି ନିବାରଣ ଅଭିଯାନ ଅଧୀନରେ ସେମାନଙ୍କୁ ଗିରଫ କରିବେ। ଯେଉଁମାନେ ଦୁର୍ନୀତିରେ ଲିପ୍ତ ନାହାନ୍ତି ସେମାନେ ଭୟ କରୁଛନ୍ତି ଯେ ସେମାନଙ୍କୁ ମିଛ ମାମଲାରେ ଫସାଇ ଦିଆଯାଇପାରେ ।

ସେପଟେ ନିଜ ଦଳ ଭିତରେ ତାଙ୍କ ବିରୋଧରେ ବଢୁଥିବା ଅସନ୍ତୋଷ ଉପରୁ ଧ୍ୟାନ ହଟାଇବା ପାଇଁ ଜିନ୍‌ପିଙ୍ଗ୍‌ ଭାରତ ସହିତ ସୀମାରେ ସଂଘର୍ଷ କରାଇଛନ୍ତି । ସେହିପରି ଆମେରିକା ସହିତ ବି ଉତ୍ତେଜନା ବଢାଉଛନ୍ତି । କାଇ ଜିଆ କହିଛନ୍ତି ଯେ ତାଙ୍କ ପରି ଦଳର ଆଉ କିଛି ସଦସ୍ୟ ବି ଜିନପିଙ୍ଗଙ୍କ ବିରୋଧରେ ମୁହଁ ଖୋଲି ଦଳରୁ ବହିଷ୍କୃତ ହୋଇଛନ୍ତି ।