ଲକ୍ଷ୍ନୌ,୧/୧୨: ଉତ୍ତର ପ୍ରଦେଶ ସରକାର ଗ୍ରୁପ C ଓ D ର ଲକ୍ଷାଧିକ କର୍ମଚାରୀ ଏବଂ ଓକିଲଙ୍କୁ ସବସିଡିରେ ଘର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ପ୍ରସ୍ତୁତି ଜୋରସୋରର ଚାଲିଛି। ଏହି ଘର କିଣିବା ପାଇଁ କର୍ମଚାରୀଙ୍କୁ ମାତ୍ର ଟଙ୍କାଟିଏ ଦେବାକୁ ପଡିବ। କ୍ରେତାଙ୍କୁ ଏହି ସର୍ତ୍ତରେ ଘର ଦିଆଯିବ ଯେ, ସେମାନେ ଏହାକୁ ୧୦ ବର୍ଷ ପର୍ଯ୍ୟନ୍ତ ବିକ୍ରି କରି ପାରିବେ ନାହିଁ।
ଏହାର ଡ୍ରାଫ୍ଟ ଉଚ୍ଚ ଅଧିକାରୀଙ୍କ ବୈଠକରେ ପ୍ରସ୍ତୁତ କରାଯାଇଛି। ଉଚ୍ଚସ୍ତରୀୟ ଅଧିକାରୀଙ୍କଠୁ ମଞ୍ଜୁରୀ ମିଳିବା ପରେ ଏହି ପ୍ରସ୍ତାବକୁ କ୍ୟାବିନେଟ୍ରେ ପାରିତ କରାଯିବ। ଏ ପର୍ଯ୍ୟନ୍ତ ଗ୍ରୁପ ସି ଏବଂ ଡିର କର୍ମଚାରୀଙ୍କୁ ରିହାତିରେ କୌଣସି ଘର ଦେବାର ବ୍ୟବସ୍ଥା ନଥିଲା।
ଗ୍ରୁପ ସି ଏବଂ ଡିର କର୍ମଚାରୀ ଏବଂ ଏମିତି ଓକିଲ ଅଛନ୍ତି ଯାହାଙ୍କ ଆୟ ଅଧିକ ନାହିଁ। ସେମାନଙ୍କୁ ଘର କିଣିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏଥିପାଇଁ ସେମାନଙ୍କୁ ରିହାତିରେ ଘର ଦେବା ଉପରେ ବିଚାର ବିମର୍ଶ କରାଯାଇ ରାଜ୍ୟ ସରକାର ଡ୍ରାଫ୍ଟ ପ୍ରସ୍ତୁତ କରୁଛନ୍ତି।
ଘର ଯୋଗାଇ ଦେବାର ପ୍ରକ୍ରିୟା କଣ ରହିବ ଏ ନେଇ ପ୍ରାରମ୍ଭିକ ପର୍ଯ୍ୟାୟରେ ସହମତି ପ୍ରକାଶ ପାଇଛି। କେଉଁ କର୍ମଚାରୀଙ୍କୁ ଘର ଦିଆଯିବ ଏ ନେଇ ମାନଦଣ୍ଡ ମଧ୍ୟ ପ୍ରସ୍ତୁତ କରାଯିବ। ଯୋଗ୍ୟ କର୍ମଚାରୀଙ୍କୁ ଘର ଦେବା ପାଇଁ ଜଣେ ନୋଡାଲ ଅଧିକାରୀ ରହିବେ।