ୟୁପିରେ ତିନି ତଲାକ ପୀଡ଼ିତ ମହିଳାଙ୍କୁ ମାସକୁ ୬ ହଜାର ଟଙ୍କା ଦେବେ ଯୋଗୀ ସରକାର

ଲକ୍ଷ୍ମୌ, ୧୩/୧୦: ଉତ୍ତର ପ୍ରଦେଶରେ ତିନି ତଲାକ ପୀଡ଼ିତ ମହିଳାଙ୍କୁ ମାସକୁ ଛଅ ହଜାର ଟଙ୍କା ଭତ୍ତା ଦେବା ପାଇଁ ଘୋଷଣା କରିଛନ୍ତି ଯୋଗୀ ସରକାର। ତେବେ ଏହାକୁ ସେ ଖୁବ ଶୀଘ୍ର କ୍ୟାବିନେଟରେ ପାରିତ କରିବେ ବୋଲି ଜଣାଯାଇଛି। ଏମାନେ ସେହି ମହିଳା ଯେଉଁମା​ନେ ମାମଲା ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି ନଚେତ ସେମାନଙ୍କ ମାମଲା ଫ୍ୟାମିଲି କୋର୍ଟରେ ବିଚରାଧୀନ ଅଛି। ରାଜ୍ୟରେ ଏହି ମହିଳାଙ୍କ ସଂଖ୍ୟା ସାତ ହଜାର।

କେନ୍ଦ୍ର ସରକାର ତିନି ତଲାକ ବିରୋଧରେ ଆଇନ ତିଆରି କରିବା ପରେ ରାଜ୍ୟ ସରକାର ଏମାନଙ୍କ ସହ ସିଧାସଳଖ ଯୋଗାଯୋଗ କରିଥିଲେ। ୨୦୧୯ ସେ​ପ୍ଟେମ୍ବର ୨୫ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତିନି ତଲାକ ପୀଡ଼ିତ ମହିଳା ଓ ପରିତ୍ୟକ୍ତ ମହିଳାଙ୍କୁ ମାସକୁ ୫୦୦ ଟଙ୍କା ଆର୍ଥିକ ସହାୟତ ଘୋଷଣା କରିଥିଲେ। ଘୋଷଣା ଅନୁସାରେ ଏହି ସହାୟତା ରାଶି ସେମାନଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଜାରି ରହିବ। ତେବେ ଏହାର ଅନ୍ୟ ଏକ ବିଶେଷତ୍ବ ହେଉଛି ଅନ୍ୟ କଲ୍ୟାଣୀକାରୀ ଯୋଜନା ଭଳି ଏଥିରେ କୌଣସି ବୟସ ସୀମା ନାହିଁ। କେବଳ ତିନି ତଲାକ ପୀଡ଼ିତ ମହିଳା ହିଁ ଏ ପାଇଁ ହେବେ ହକଦାର।