ପାଟନା,୨୭/୩ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସୁରକ୍ଷାବଳୟକୁ ଭେଦ କରି ଆକ୍ରମଣ କରିବାକୁ ଯୋଜନା କରିଥିଲେ ଜଣେ ଯୁବକ । ଆଉ ଯୋଜନା ବାସ୍ତବତାର ରୂପ ନେବା ପୂର୍ବରୁ ଧରିଲା ପୁଲିସ । ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ମୁଥ ମାରିବାକୁ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି । ମିଳିଥିବା ସୂଚନା ମୁତାବକ ପାଟନା ଜିଲ୍ଲାର ବଖତିଆରପୁର ବ୍ଲକରେ ଏଭଳି ଏକ ଘଟଣା ଘଟିଛି ।
ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କାରକେଡ ବଖତିଆରପୁର ବଜାର ଦେଇ ଯାଉଥିଲା। ଏହି ସମୟରେ ରାସ୍ତା କଡ଼ରେ ଉପସ୍ଥିତ ଥିବା ଲୋକମାନେ ନୀତିଶ କୁମାରଙ୍କ ସମର୍ଥନରେ ସ୍ଲୋଗାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ କାରକୁ ଅଟକାଇ ତଳକୁ ଓହ୍ଲାଇ ଲୋକମାନଙ୍କୁ ଭେଟୁଥିବାବେଳେ ଜଣେ ଯୁବକ ତାଙ୍କ ଆଡକୁ ମାଡିଆସିଥିଲେ । ଆଉ ମୁଖ୍ୟମନ୍ତ୍ରୀଙ୍କଠାରୁ ଅଳ୍ପ କିଛି ଦୂରରେ ଥାଇ ସେ ମୁଥ ମାରିବାକୁ ହାତ ଉଠାଇଥିଲେ।
ଆଉ ଏହା ଦେଖି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକର୍ମୀ ଯୁବକଙ୍କୁ ଅଟକାଇ ସ୍ଥାନୀୟ ପୁଲିସର ଜିମା ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ଏହି ଯୁବକଙ୍କ ପରିଚୟ ମିଳିନଥିବାବେଳେ ଏବେ ପୁଲିସ ତାଙ୍କୁ ଅଟକ ରଖିଛି । ଯୁବକ ଜଣକ କେଉଁ ଉଦ୍ଦେଶ୍ୟରେ ସେଠାକୁ ଯାଇଥିଲେ ସେ ନେଇ ପୁଲିସ ଏବେ ତଦନ୍ତ କରୁଛି ।