ପୁଣି ଥରେ ପଡ଼ିଆକୁ ଫେରିବେ ଯୁବରାଜ, ବିସିସିଆଇ ସଭାପତିଙ୍କୁ ଲେଖିଲେ ପତ୍ର

ନୂଆଦିଲ୍ଲୀ, ୧୦/୯ : ଟିମ୍ ଇଣ୍ଡିଆର ପୂର୍ବତନ ଷ୍ଟାର କ୍ରିକେଟର ଯୁବରାଜ ସିଂ ପୁଣି ଥରେ ପଡ଼ିଆରେ ପରାକ୍ରମ ଦେଖାଇ ପାରନ୍ତି। ଏକ ରିପୋର୍ଟ ଅନୁଯାୟୀ ଯୁବରାଜ ସିଂ ତାଙ୍କ ଅବସର ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି। ଏଥି ପାଇଁ ସେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଏକ ପ୍ରତ ଲେଖିଛନ୍ତି ।

ଯୁବରାଜ ସିଂହ ଲେଖିଛନ୍ତି ଯେ, ପଂଜାବ ପାଇଁ ଟି-୨୦ କ୍ରିକେଟ ଖେଳିବାକୁ ଚାହୁଁଛି । ସୂଚନାଯୋଗ୍ୟ ବିଗତ କିଛି ଦିନ ପୂର୍ବରୁ ଯୁବରାଜ ସିଂହଙ୍କ ଫେରିବା ନେଇ ଚର୍ଚ୍ଚା ହେଉଥିଲା । ଏହାରି ମଧ୍ୟରେ ଯୁବରାଜ ସିଂହ କ୍ରିକେଟରେ ନିଜର ପ୍ରତ୍ୟାବର୍ତ୍ତନ ନେଇ ସ୍ପଷ୍ଟ କରିଛନ୍ତି । ଯୁବରାଜ କହିଛନ୍ତି, ସେ ଲକଡାଉନ ସମୟରେ ପଂଜାବର ଯୁବ କ୍ରିକେଟର ଶୁଭମନ ଗିଲ ସମେତ ଅନେକ ଖେଳାଳିଙ୍କ ସହିତ ସମତ ବିତାଇଥିଲେ । ସେହି ସମୟରେ ମୋତେ ବହୁତ ଭଲ ଲାଗୁଥିଲା ।

ଯୁବରାଜ କହିଛନ୍ତି, ଲକଡାଉନ ସମୟରେ ମୁଁ ନେଟସରେ ଅଭ୍ୟାସ କରିଛି । ମୋର ବ୍ୟାଟ ପୁରୁଣା ଶୈଳୀରେ ଚାଲିଥିଲା । କିନ୍ତୁ ସମସ୍ତେ ଜାଣିଛନ୍ତି ଯେ, ବହୁ ଦିନ ପରେ ମୁଁ କ୍ରିକେଟ ପଡ଼ିଆକୁ ଫେରିଛି । ଏହା ବ୍ୟତୀତ ପଂଜାବ କ୍ରିକେଟ ଆସୋସିଏଶନ (ପିସିଏ)ର ସଚିବ ପୁନୀତ ବାଲି ଅବସରରୁ ଫେରିବା ସଂପର୍କରେ ପଚାରିଛନ୍ତି । ମାତ୍ର ତାଙ୍କର ପ୍ରଶ୍ନ ନେଇ ମୁଁ ବିଚାର କରିବା ପରେ ପୁଣି ଥରେ ଖେଳିବାକୁ ନିଷ୍ପତ୍ତି ନେଇଥିଲି । ମାତ୍ର ବିସିସିଆଇର ଅନୁମତିକୁ ଅପେକ୍ଷା କରିଛି ।