ଧାମରା, ୧୧/୧୨ : ଓଡ଼ିଶା ଉପକୂଳରେ ଅବସ୍ଥିତ ଡ. ଅବ୍ଦୁଲ କଲାମ ଦ୍ୱୀପରେ ସୋମବାର ବାଲିଷ୍ଟିକ ମିଜାଇଲ ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ପରମାଣୁ କୌଶଳରେ ଭରପୁର ଏହି ଅଗ୍ନି-୫ ମିଜାଇଲ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସୋମବାର ଅପରାହ୍ନ ୧.୩୦ ମିନିଟରେ କରାଯାଇଥିଲା । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଭାରତୀୟ ସେନାକୁ ଆହୁରୀ ମଜବୁତ କରିବ । ଏହା ଅଗ୍ନି-୫ ମିଜାଇଲ କ୍ଷେପଣାସ୍ତ୍ରର ୭ମ ସଫଳ ପରୀକ୍ଷଣ । ଏହା ପୂର୍ବରୁ ଏହି କ୍ଷେପଣାସ୍ତ୍ର କେବଳ ଆମେରିକା, ଋଷ, ଚୀନ ଏବଂ ଫ୍ରାନ୍ସ ପାଖରେ ରହିଥିଲା । ତେବେ ଆଜିର ସଫଳ ପରୀକ୍ଷଣ ପରେ ଏହି କ୍ଷେପଣାସ୍ତ୍ରକୁ ବିକଶିତ କରିଥିବା ପଞ୍ଚମ ଦେଶ ହୋଇଯାଇଛି ଭାରତ । ଏହି କ୍ଷେପଣାସ୍ତ୍ରର ଉଚ୍ଚତା ୧୭.୫ ମିଟର ରହିଥିବା ବେଳେ ଏହାର ଓଜନ ୫୦ ଟନ ବିଶିଷ୍ଟ । ୫ ହଜାର କିମିରୁ ୮ ହଜାର କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରଖୁଥିବା ଏହି କ୍ଷେପଣାସ୍ତ୍ରର ପ୍ରଥମ ସଫଳ ପରୀକ୍ଷଣ ୨୦୧୨ ମସିହା ଏପ୍ରିଲ ୧୯ ତାରିଖରେ ହୋଇଥିଲା । ପରେ ଦ୍ୱିତୀୟ ପରୀକ୍ଷଣ ୨୦୧୩ ସେପେଫମ୍ବର ୧୫, ତୃତୀୟ ୨୦୧୫ ଜାନୁଆରୀ ୩୧, ଚତୁର୍ଥ ଥର ୨୦୧୬ ଡିସେମ୍ବର ୨୬, ପଞ୍ଚମ ପରୀକ୍ଷଣ ଚଳିତବର୍ଷ ଜାନୁୟାରୀ ୧୮ ଏବଂ ଶେଷ ପରୀକ୍ଷଣ ୨୦୧୮ ଜୁନ ୩ରେ ହୋଇଥିଲା ।