ଭୁବନେଶ୍ୱର, ୨୪/୦୯ : ଦୀର୍ଘ ୩୫ ବର୍ଷ ମାଆ କୁ ଖୋଜି ଖୋଜି ଶେଷରେ ଯେତେବେଳେ ପରିବାର ଆଶା ଛାଡ଼ି ଦେଇଥିଲା, ସେତେବେଳେ ହଠାତ୍ ଆସିଲା ଏକ ଖବର। ମିଳିଯାଇଛନ୍ତି ପ୍ରମିଳା କେବଳ ହାତରେ ଲେଖା ଥିବା ଗୋଟିଏ ଓଡ଼ିଆ ଟାଟୁ। ସେହି ଟାଟୁ ହିଁ ପାଲଟିଗଲା ୩୫ ବର୍ଷ ପରେ ହଜିଯାଇଥିବା ପରିଚୟର ସବୁଠାରୁ ବଡ଼ ସୂତ୍ର। ହିମାଚଳ ପ୍ରଦେଶରୁ ମିଳିଲେ କେନ୍ଦ୍ରାପଡ଼ାର ନିଖୋଜ ପ୍ରମିଳା ମଲ୍ଲିକ। ଆଉ ଏବେ ନିଜ ମାଆକୁ ନିଜ ମାଟିକୁ ଫେରାଇ ଆଣିବାକୁ ଅପେକ୍ଷା କରିଛି ପରିବାର। କେତେ ରାତି ଗଲା ଆଖିରେ ଲୁହ ନେଇ…କେତେ ଥର ବୋଧହୁଏ ମନରେ ଆସିଥିବ ଆଉ କେବେ ଫେରିବେ ତାଙ୍କ ମାଆ? କିନ୍ତୁ ସମୟ ସବୁ ଆଶାକୁ ଧୀରେ ଧୀରେ ମଉଳାଇ ଦେଇଥିଲା। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ୍ ଅଳପୁଆ ପଞ୍ଚାୟତର ନନ୍ଦଲାଲପାଟଣା ଗାଁ। ଏହି ଗାଁର ଦିନବନ୍ଧୁ ମଲ୍ଲିକଙ୍କ ପ୍ରଥମ ପତ୍ନୀ ଥିଲେ ପ୍ରମିଳା ମଲ୍ଲିକ। ବିବାହ ପରେ ମାତ୍ର ଏକ ମାସ ସାତ ଦିନର ପୁଅକୁ ଛାଡ଼ି…ମାନସିକ ଅସୁସ୍ଥତା କାରଣରୁ ସେ ବାପଘର ବଲୁରିଆକୁ ଚାଲିଯାଇଥିଲେ। ଆଉ ସେଠାରୁ…କେଉଁଆଡ଼େ ଚାଲିଗଲେ ପ୍ରମିଳା। ତା’ପରେ ଆରମ୍ଭ ହେଲା ଖୋଜା। ଦିନ ଗଲା…ମାସ ଗଲା…ବର୍ଷ ଗଡ଼ିଲା…କିନ୍ତୁ ପ୍ରମିଳାଙ୍କର କୌଣସି ଖୋଜ ମିଳିଲା ନାହିଁ।
ପରିବାର ଧୀରେ ଧୀରେ ମାନିନେଲା ହୁଏତ ପ୍ରମିଳା ଆଉ କେବେ ଫେରିବେ ନାହିଁ। ପୁଅର ଲାଳନପାଳନ ପାଇଁ ଦିନବନ୍ଧୁ ପ୍ରମିଳାଙ୍କ ସାନ ଭଉଣୀ ଉର୍ମିଳାଙ୍କୁ ବିବାହ କଲେ। ପରିବାର ପୁଣି ଧୀରେ ଧୀରେ ସଜାଡ଼ି ହେଲା। ଉର୍ମିଳାଙ୍କର ହେଲେ ଗୋଟିଏ ପୁଅ ଓ ଚାରି ଝିଅ। ସମୟ ପୁଣି ଆଗକୁ ବଢ଼ିଲା…କିନ୍ତୁ ତିନି ବର୍ଷ ତଳେ ଦିନବନ୍ଧୁ ମଧ୍ୟ ଆରପାରିକୁ ଚାଲିଗଲେ। ସ୍ତ୍ରୀ ପ୍ରମିଳାଙ୍କୁ ଆଉ ଥରେ ଦେଖିବାର ସୁଯୋଗ ମିଳିଲାନି। ହେଲେ ଭାଗ୍ୟର ଲେଖା ଥିଲା ଆଉ କିଛି । ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲାର ବଲ୍ହ ଉପଖଣ୍ଡ ଅଞ୍ଚଳ। ଧରମୂଳା ତହସିଲ ଅଧୀନରେ ରହୁଥିଲେ ଜଣେ ମହିଳା। କିଏ ସେ? କେଉଁଠୁ ଆସିଛନ୍ତି? କେଉଁଠି ତାଙ୍କ ଘର? ପ୍ରଶ୍ନ ଅନେକ, କିନ୍ତୁ ଉତ୍ତର ନଥିଲା। ଠିକ୍ ସେତିକିବେଳେ ଜଣେ ଓଡ଼ିଆ ବ୍ୟକ୍ତିଙ୍କ ନଜର ପଡ଼ିଲା ତାଙ୍କ ହାତ ଉପରେ। ହାତରେ ଥିବା ଟାଟୁ ଉପରେ । ଲେଖା ଥିଲା ଗୋଟିଏ ଓଡ଼ିଆ ଶବ୍ଦ। ଆଉ ସେହି ଛୋଟିଆ ଟାଟୁ ୩୫ ବର୍ଷ ଧରି ଲୁଚି ରହିଥିବା ପରିଚୟକୁ ଦେଲା ନୂଆ ସୂତ୍ର। ଖୋଜାଖୋଜି ଆରମ୍ଭ ହେଲା। ପୁରୁଣା ସ୍ମୃତିଚିହ୍ନ…ପରିବାର ସମ୍ପର୍କିତ ସୂଚନା…ଆଉ ଶେଷରେ ପହଞ୍ଚିଲା ଖବର କେନ୍ଦ୍ରାପଡ଼ାରେ । ପ୍ରମିଳା ବଞ୍ଚିଛନ୍ତି ।
୩୫ ବର୍ଷ…ଏହି ଶବ୍ଦଟି କହିବା ସହଜ। କିନ୍ତୁ ଜଣେ ମାଆଠାରୁ ୩୫ ବର୍ଷ ଦୂରେ ରହିଥିବା ପୁଅ ପାଇଁ । ଏହି ସମୟ କେତେ ଲମ୍ବା ଥିଲା, ତାହା ବୋଧହୁଏ କେବଳ ତାଙ୍କ ହୃଦୟ ହିଁ ଜାଣେ। ଆଉ ତା’ପରେ ଆସିଲା ସେହି ମୁହୂର୍ତ୍ତ, ମୋବାଇଲ୍ ସ୍କ୍ରିନ୍ରେ ଦେଖାଗଲା ଜଣେ ବୃଦ୍ଧାଙ୍କ ମୁହଁ। ଅପରିଚିତ ମୁହଁ କିନ୍ତୁ ପରିଚିତ ଥିଲା ରକ୍ତର ସମ୍ପର୍କ। ଭିଡିଓ କଲ୍ରେ କଥା ହେଲେ ମାଆ ଓ ପୁଅ। ସେପଟେ ପ୍ରମିଳାଙ୍କ ଆଖିରେ ନିଜ ଲୋକଙ୍କୁ ପାଇବାର ଖୁସି ଏପଟେ ପରିବାରର ଆଖିରେ ଖୁସିର ଲୁହ। ୩୫ ବର୍ଷର ଦୂରତା…ଗୋଟିଏ ମୁହୂର୍ତ୍ତରେ ହୋଇଗଲା ଶେଷ। ଏହି ମିଳନରେ ଥିଲା ଅନେକ କଥା…ଥିଲା ପୁରୁଣା ସ୍ମୃତି…ଥିଲା ବିଚ୍ଛେଦର ବେଦନା…ଆଉ ଥିଲା ୩୫ ବର୍ଷ ପରେ ନିଜ ଲୋକଙ୍କୁ ପାଇବାର ଅକୁହା ଖୁସି। ହେଲେ ଏହି ଖୁସି ଭିତରେ ରହିଗଲା ଗୋଟିଏ ଅପୂରଣୀୟ ଅଭାବ। ଦିନବନ୍ଧୁ ନାହାନ୍ତି… ଯେଉଁ ମଣିଷଟି ୩୫ ବର୍ଷ ଧରି ନିଜ ସ୍ତ୍ରୀକୁ ଖୋଜୁଥିଲେ, ଆଜି ସେ ନାହାନ୍ତି। ପ୍ରମିଳା ଫେରିବା ଖବର ଶୁଣିବାକୁ…ତାଙ୍କ ମୁହଁ ଦେଖିବାକୁ…ଆଉ ତାଙ୍କୁ ଘରକୁ ସ୍ୱାଗତ କରିବାକୁ ।
ଗୋଟିଏ ଓଡ଼ିଆ ଟାଟୁ ଗୋଟିଏ ପୁରୁଣା ସ୍ମୃତି ଆଉ ଗୋଟିଏ ପରିବାରର ମଉଳି ଯାଇଥିବା ଆଶା, ଏସବୁକୁ ଯୋଡ଼ିଦେଲା ୩୫ ବର୍ଷର ଭଙ୍ଗା ସମ୍ପର୍କ। ପରିବାର ଏହି ମିଳନକୁ ମହାପ୍ରଭୁ ଜଗନ୍ନାଥଙ୍କ କୃପା ବୋଲି କହୁଛି। ଏବେ ଅପେକ୍ଷା କେବଳ ଗୋଟିଏ… ହିମାଚଳ ପ୍ରଦେଶରୁ ପ୍ରମିଳା ଫେରନ୍ତୁ ନିଜ ମାଟିକୁ। ଫେରନ୍ତୁ ନିଜ ଘରକୁ। ଫେରନ୍ତୁ ନିଜ ପରିବାର ପାଖକୁ। ଯେଉଁ ଘର ୩୫ ବର୍ଷ ଧରି ତାଙ୍କ ଅପେକ୍ଷାରେ ଥିଲା, ଆଜି ସେହି ଘରର ଦୁଆର ଖୋଲା। ଆଖିରେ ଲୁହ…ହୃଦୟରେ ଅପେକ୍ଷା…ଆଉ ମୁହଁରେ ଗୋଟିଏ ପ୍ରାର୍ଥନା—“ପ୍ରମିଳା… ଏଥର ଘରକୁ ଫେରିଆସ।”
୩୫ ବର୍ଷର ଦୀର୍ଘ ବିଚ୍ଛେଦ ପରେ ହାତରେ ଥିବା ଗୋଟିଏ ଓଡ଼ିଆ ଟାଟୁ ହିଁ ପ୍ରମିଳାଙ୍କ ପରିଚୟର ସୂତ୍ର ପାଲଟିଲା। ମାଆକୁ ପୁଣିଥରେ ପାଇଛି ପୁଅ, ଭଉଣୀକୁ ପାଇଛି ଭଉଣୀ, ହେଲେ ଏହି ମିଳନକୁ ନିଜ ଆଖିରେ ଦେଖିବା ପାଇଁ ଆଜି ଦିନବନ୍ଧୁ ନାହାନ୍ତି। ଏବେ ପରିବାରର ଆଶା, ପ୍ରମିଳା ଶୀଘ୍ର ହିମାଚଳରୁ ଫେରିବେ ନିଜ ଘରକୁ, ନିଜ ମାଟିକୁ।