ଆତ୍ମସମର୍ପଣ କଲେ ସଜ୍ଜନ କୁମାର

0

ନୂଆଦିଲ୍ଲୀ, ୩୧/୧୨ : ୧୯୮୪ ଶିଖ୍‌ ଦଙ୍ଗାର ମୁଖ୍ୟ ଆରୋପି ତଥା କଂଗ୍ରେସର ପୂର୍ବ ନେତା ସଜ୍ଜନ କୁମାର ବର୍ଷର ଶେଷ ଦିନ(ଡେସେମ୍ବର ୩୧)ରେ କଡକଡଡୁମା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ।
କୋର୍ଟ ତାଙ୍କୁ ତିହାଡ ଜେଲ ପଠାଇଥିବା ସୂଚନା ମିଳିଛି । ତେବେ ଏହି ମାମଲାର ଅନ୍ୟ ୨ ଅଭିଯୁକ୍ତ ପୂର୍ବ ବିଧାୟକ ମହେନ୍ଦ୍ର ଯାଦବ ଏବଂ କିଶନ ଖୋଖର ମଧ୍ୟ କଡକଡଡୁମା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ହାଇକୋର୍ଟ ସଜ୍ଜନ କୁମାରଙ୍କୁ ଆଜିବନ କାରାଦଣ୍ଡାଦେଶ ସୁଣାଇଥିବା ବେଳେ ମହେନ୍ଦ୍ର ଯାଦବ ଏବଂ କିଶନ ଖୋଖରେଙ୍କୁ ୧୦-୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସଜ୍ଜନ କୁମାର କଡକଡଡୁମା କୋର୍ଟର ପଛ ଦ୍ୱାରରୁ ପ୍ରବେଶ କରି ଆତ୍ମସମର୍ପଣ କରିଛନ୍ତି । ତେବେ ଦିଲ୍ଲୀର ହାଇ କୋର୍ଟ ସଜ୍ଜନ କୁମାରଙ୍କୁ ୩୧ ଡିସେମ୍ବର ସୁଦ୍ଧା ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ସେ ଏହାର ଅବିବୃଦ୍ଧି ବଢାଇବାକୁ କୋର୍ଟ ନିକଟରେ ଆବେଦନ କରିଥିଲେ, ଯାହାକୁ ହାଇକୋର୍ଟ ଖାରଜ କରିଦେଇ ଥିଲେ । ହାଇକୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ସଜ୍ଜନ କୁମାର ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ, ହାଇକୋର୍ଟ ଡିସେମ୍ବର ୧୭ରେ ୧୯୮୪ ଶିଖ୍‌ ଦଙ୍ଗା ପୀଡିତମାନଙ୍କ ଆବେଦନର ଶୁଣାଣି କରି ସଜ୍ଜନ କୁମାରଙ୍କୁ ହତ୍ୟା, ଭୟ ଦେଖାଇବା, ଅଗ୍ନିକାଣ୍ଡ ଓ ଧାର୍ମିକ ସ୍ଥଳକୁ କ୍ଷତି ପହଂଚାଇବାର ଷଡଯନ୍ତ୍ର ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ଆଜୀବନ ଜେଲଦଣ୍ଡ ଶୁଣାଇଥିଲେ ।

Leave A Reply

Your email address will not be published.