ଆଧୁନିକ ଗୋଆର ନିର୍ମାତା : ମନୋହର ପାରିକର

0

ପଣଜୀ,୧୮/୩ : ମନୋହର ପାରିକର ଆରଏସ୍‌ଏସ୍‌ ପ୍ରଚାରକ ଭାବେ କ୍ୟାରିୟର ଆରମ୍ଭ କରି ପରବର୍ତ୍ତୀ ଜୀବନରେ ଦେଶର ପ୍ରତିରକ୍ଷାମନ୍ତ୍ରୀ ଏବଂ ଗୋଆ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଆଧୁନିକ ଗୋଆର ନିର୍ମାତା ପାରିକର ୪ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ ପ୍ରତିରକ୍ଷାମନ୍ତ୍ରୀ ହୋଇଥିଲେ। ଭାଜପାର ସବୁ ବିଚାରଧାରାର ଲୋକଙ୍କ ପାଇଁ ସେ ଗ୍ରହଣୀୟ ହୋଇପାରିଥିଲେ। ଗୋଆରେ ଭାଜପାକୁ ଶକ୍ତିଶାଳୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

୧୯୫୫ ଡିସେମ୍ବର ୧୩ରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ପାରିକର ଆରଏସ୍‌ଏସ୍‌ ପ୍ରଚାରକ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। କେନ୍ଦ୍ରରେ ପ୍ରତିରକ୍ଷାମନ୍ତ୍ରୀ ଥିବାବେଳେ ପାକିସ୍ତାନ ଅଧିକୃତ କଶ୍ମୀରରେ ଭାରତୀୟ ସେନା ଦ୍ୱାରା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ହୋଇଥିଲା ଏବଂ ଏହାର ଶ୍ରେୟ ତାଙ୍କୁ ହିଁ ଦିଆଯାଇଥିଲା। ପାରିକର ୧୯୯୪ରେ ନିର୍ବାଚନରେ ଭାଗନେଇ ଭାଜପା ଟିକେଟରେ ପଣଜୀ ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ। ସେ ୧୯୯୯ରେ ଜୁନ୍‌ରୁ ନଭେମ୍ବର ପର୍ଯ୍ୟନ୍ତ ବିରୋଧୀ ଦଳ ନେତା ଥିଲେ ଏବଂ ତତ୍‌କାଳୀନ କଂଗ୍ରେସ ନେତୃତ୍ୱାଧୀନ ସରକାର ବିରୋଧରେ ଓଜସ୍ବିନୀ ବକ୍ତୃତା ଦେଇ ଚର୍ଚ୍ଚିତ ଥିଲେ। ୨୦୦୦ ଅକ୍ଟୋବର ୨୪ରେ ପ୍ରଥମଥର ପାଇଁ ସେ ଗୋଆର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କର କାର୍ଯ୍ୟକାଳ ମାତ୍ର ୨୦୦୨ ଫେବୃୟାରୀ ୨୭ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା। ସେହିବର୍ଷ ଜୁନ୍‌ ୫ରେ ପୁନଃ ନିର୍ବାଚିତ ହୋଇ ଆଉ ଏକ ଅବଧି ପୂରଣ କରିଥିଲେ। ୨୦୦୫ ଜାନୁୟାରୀ ୨୯ରେ ୪ ଭାଜପା ବିଧାୟକ ଇସ୍ତଫା ଦେବା ପରେ ତାଙ୍କ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିଲା। ପାରିକରଙ୍କ ବଦଳରେ କଂଗ୍ରେସର ପ୍ରତାପ ସିଂ ରାଣେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୭ରେ ପାରିକରଙ୍କ ନେତୃତ୍ୱାଧୀନ ଭାଜପା ପରାଜିତ ହେବା ସହିତ କଂଗ୍ରେସ ନେତୃତ୍ୱାଧୀନ ଦିଗମ୍ବର କାମାତ୍‌ ସରକାର ଗଢ଼ିଥିଲେ। କିନ୍ତୁ ୨୦୧୨ରେ ରାଜ୍ୟରେ ପାରିକରଙ୍କ ଲୋକପ୍ରିୟତା ବୃଦ୍ଧିପାଇଥିଲା। ତାଙ୍କ ଦଳ ୪୦ଟି ଆସନରୁ ୨୧ଟିରେ ବିଜୟୀ ହୋଇ ସେ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୭ରେ ମଧ୍ୟ ସେ ଗୋଆର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ।

Leave A Reply

Your email address will not be published.