ଆମେରିକାରେ ଅପମାନିତ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌

0

ୱାଶିଂଟନ୍‌,୨୨/୭: ଆମେରିକା ଗସ୍ତରେ ଯାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପୁଣିଥରେ ଅପମାନିତ ହୋଇଛନ୍ତି। ଗତକାଲି ଆମେରିକାରେ ପହଞ୍ଚିଥିବା ଇମ୍ରାନ୍‌ ଖାନ୍‌ଙ୍କୁ ସ୍ୱାଗତ କରିବା ପାଇଁ କୌଣସି ଆମେରିକୀୟ ଅଧିକାରୀ ଆସି ନଥିବା ଜଣାପଡ଼ିଛି। ପାକିସ୍ତାନ ଏବେ ଆର୍ଥିକ ଦୁସ୍ଥିତି ମଧ୍ୟ ଦେଇ ଗତି କରୁଛି।

ଏଥିପାଇଁ ଇମ୍ରାନ୍‌ ଖାନ୍‌ ଘରୋଇ ବିମାନ ପରିବର୍ତ୍ତେ କତାର ଏୟାର ୱେଜର ଏକ ଯାତ୍ରୀବାହୀ ବିମାନରେ ଯାଇଥିଲେ। ତାଙ୍କ ବିମାନ ଡୁଲ୍ଲେସ ଏୟାରପୋର୍ଟରେ ଓହ୍ଲାଇଥିଲା। ତେବେ ସେଠାରେ ଇମ୍ରାନ୍‌ ଖାନ୍‌ଙ୍କୁ ସ୍ୱାଗତ କରିବା ପାଇଁ ଆମେରିକାର କୌଣସି ବରିଷ୍ଠ ଅଧିକାରୀ ଉପସ୍ଥିତ ନଥିଲେ।

ସେଠାରୁ ଇମ୍ରାନ୍‌ ଖାନ୍‌ ପାକ୍‌ ରାଷ୍ଟ୍ରଦୂତଙ୍କ ଘରକୁ ମେଟ୍ରୋ ଯୋଗେ ଯାଇଥିଲେ। ଇମ୍ରାନ୍‌ ଖାନ୍‌ଙ୍କୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସୀ ଓ ଆକ୍ଟିଂ ଚିଫ୍‌ ପ୍ରୋଟୋକଲ ମ୍ୟାରୀ-କେଟେ-ଫିଶର ସ୍ୱାଗତ କରିଥିଲେ। ଏମାନେ ଇମ୍ରାନ୍‌ଙ୍କ ସହ ମେଟ୍ରୋରେ ମଧ୍ୟ ଯାତ୍ରା କରିଥିଲେ।

ସେହିପରି ଇମ୍ରାନ୍‌ ଆଜି ଆମେରିକାରେ ଭାଷଣ ଦେଉଥିବା ବେଳେ ବେଲୁଚିସ୍ତାନକୁ ପାକିସ୍ତାନ କବଳରୁ ମୁକ୍ତି ଦେବାକୁ ନାରାବାଜି ଓ ବିକ୍ଷୋଭ ହୋଇଥିଲା। ୱାଶିଂଟନ୍‌ ଡିସିରେ ଥିବା ଏରେନା ୱାନରେ ଇମ୍ରାନ୍‌ ପାକିସ୍ତାନ ନାଗରିକଙ୍କୁ ସମ୍ବୋଧିତ କରୁଥିଲେ।

ଏହି ସମୟରେ ବେଲୁଚିସ୍ତାନକୁ ନ୍ୟାୟ ମିଳୁ ସ୍ଲୋଗାନ ଶୁଣିବାକୁ ମିଳିଥିଲା। ବେଲୁଚି ସ୍ୱେଚ୍ଛାସେବୀମାନେ ଏତେ ଜୋରରେ ନାରାବାଜି କରିଥିଲେ ଯେ ଇମ୍ରାନ୍‌ ଖାନ୍‌ଙ୍କ ଉଦ୍‌ବୋଧନ ବାଧାପ୍ରାପ୍ତ ହୋଇଥିଲା। ତେବେ ଏଥିରେ ସୁରକ୍ଷାକର୍ମୀମାନେ ହସ୍ତକ୍ଷେପ କରି ବିରୋଧକାରୀଙ୍କୁ ବାହାରକୁ ନେଇଥିଲେ। ଆଜି ଇମ୍ରାନ୍‌ ଖାନ୍‌ ହ୍ୱାଇଟ୍‌ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.