ଆସ୍ଥା ଭୋଟ୍ ପୂର୍ବରୁ ଆଜି ଇସ୍ତଫା ଦେଇ ପାରନ୍ତି କୁମାରସ୍ଵାମୀ

ବେଙ୍ଗାଲୁରୁ,୨୨/୭: କର୍ଣ୍ଣାଟକରେ ବିଗତ କିଛି ଦିନ ହେବ ଜାରି ରାଜନୈତିକ ସଙ୍କଟ ମଧ୍ୟରେ ସୋମବାର ବିଜେପିକୁ ସୁହାଇବା ପରି ଖବର ଆସିଛି। ସୂତ୍ର ମୁତାବକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ଵାମୀ ରାଜ୍ୟପାଳ ବଜୁଭାଇ ଭାଲାଙ୍କୁ ସନ୍ଧ୍ୟା ୭ଟାରେ ସାକ୍ଷାତ ପାଇଁ ସମୟ ମାଗିଛନ୍ତି। ଏହି ସମୟରେ ସେ ନିଜର ଇସ୍ତଫା ପ୍ରଦାନ କରି ପାରନ୍ତି। ବିଧାୟକଙ୍କୁ ମନାଇବା ପାଇଁ କ୍ୟାବିନେଟରେ ପରିବର୍ତ୍ତନଠୁ ନେଇ ନୂତନ ମୁଖ୍ୟମନ୍ତ୍ରୀ କରାଯିବାର ପ୍ରୟାସ ବିଫଳ ହେବା ପରେ କୁମାରସ୍ଵାମୀ ଏବେ ବଡ଼ ନିଷ୍ପତ୍ତି ନେଇ ପାରନ୍ତି। କୁହାଯାଉଛି ଯେ, କୁମାରସ୍ଵାମୀ ଆସ୍ଥା ଭୋଟ୍ ପୂର୍ବରୁ ନିଜର ପଦ ଛାଡ଼ି ପାରନ୍ତି।

ଉଲ୍ଲେଖଯୋଗ୍ୟ, ବାଚସ୍ପତି ରମେଶ କୁମାର ଆଜି ସକାଳେ କହିଥିଲେ ଯେ, ସେ ଆଜି ଗୃହରେ ଆସ୍ଥା ଭୋଟ୍ କରାଇବେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ଵାମୀ ବାଚସ୍ପତିଙ୍କୁ ଆସ୍ଥା ଭୋଟ୍ ଜୁଲାଇ ୨୪ ପର୍ଯ୍ୟନ୍ତ ଘୁଞ୍ଚାଇ ଦେବାକୁ ଦାବି କରିଥିଲେ; ମାତ୍ର ବାଚସ୍ପତି ଏହା କରିବାକୁ ମନା କରି ଦେଇଥିଲେ। ଏବେ କୁହାଯାଉଛି ଯେ, ଆସ୍ଥା ଭୋଟର ସାମ୍ନା କରିବା ପୂର୍ବରୁ କୁମାରସ୍ଵାମୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପାରନ୍ତି।

ଅନ୍ୟ ପଟେ ବିଜେପି-କଂଗ୍ରେସ ନିଜ ନିଜ ପକ୍ଷରେ ସଂଖ୍ୟା ଗରିଷ୍ଠତା ଥିବା ଦାବି କରୁଛନ୍ତି। ମାତ୍ର ଅଧିକ ବିଧାୟକଙ୍କ ସଂଖ୍ୟା ବିଜେପି ସପକ୍ଷରେ ଥିବା ଲାଗୁଛି। କଂଗ୍ରେସ-ଜେଡିଏସ ପାଖରେ ୧୦୧ ବିଧାୟକଙ୍କ ସମର୍ଥନ ରହିଥିବା ବେଳେ ବିଜେପି ପାଖରେ ୧୦୭ ଥିବା ଦଳ ଦାବି କରୁଛି। ୧୦୫ ବିଧାୟକ ନିଜର ହୋଇଥିବା ବେଳେ ଅନ୍ୟ ଦୁଇ ସ୍ଵାଧୀନ ବିଧାୟକ। ଏଥିରୁ ସ୍ପଷ୍ଟ ଯେ ଆସ୍ଥା ଭୋଟ୍ ହେଲେ କୁମାରସ୍ଵାମୀ ସରକାର ଭାଙ୍ଗିବା ନିଶ୍ଚିତ। ମେଣ୍ଟ ସରକାର ଉପରେ ନଜର ପକାଇଲେ କଂଗ୍ରେସ ପାଖରେ ୬୬ ଜଣ ବିଧାୟକ, ଜେଡିଏସର ୩୩ ଏବଂ ବିଏସପିର ଜଣେ ବିଧାୟକଙ୍କୁ ମିଶାଇ ୧୦୧ ବିଧାୟକଙ୍କ ସମର୍ଥନ ରହିଛି।

ଉଲ୍ଲେଖଯୋଗ୍ୟ, ବିଜେପି ଗତ ଦିନରେ ଆସ୍ଥା ପ୍ରସ୍ତାବ ଉପରେ ମତଦାନ କରାଇବାକୁ ଦାବି କରି ଆସୁଥିଲା। ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ ସଭାପତି ବିଏସ ୟେଦୁରପ୍ପା ସୋମବାର କଂଗ୍ରେସ-ଜେଡିଏସ ମେଣ୍ଟ ସରକାରର ଶେଷ ଦିନ ବୋଲି କହିଥିଲେ। ତେଣୁ ତାଙ୍କର ଭବିଷ୍ୟତବାଣୀ ସତ ହେବାକୁ ଯାଉଛି।

SBI_Festive_Digital Billboard