ଭୁବନେଶ୍ୱର, ୧୯/୧୨: ଆଦିବାସୀ ବହୁଳ ଅଞ୍ଚଳ ଗୁଡିକରେ ଅଧିକ ଏକଲବ୍ୟ ମଡେଲ ସ୍କୁଲ ଖୋଲିବାକୁ ସରକାର ଯୋଜନା ରଖିଛନ୍ତି । ସାରା ଦେଶର ୪୬୨ଟି ବ୍ଲକରେ ଏକଲବ୍ୟ ମଡେଲ ସ୍କୁଲ ପ୍ରତିଷ୍ଠା ହେବ । ସେଥିମଧ୍ୟରୁ କେବଳ ଓଡ଼ିଶାରେ ୯୨ଟି ମଡେଲ୍ ସ୍କୁଲ ହେବ ।
ଏକଲବ୍ୟ ଆବାସିକ ବିଦ୍ୟାଳୟଗୁଡିକୁ କେନ୍ଦ୍ର ସରକାର ପୁର୍ନଗଠନ କରିଛନ୍ତି। ଏହା ଦ୍ୱାରା ନବୋଦୟ ବିଦ୍ୟାଳୟ ଢାଞ୍ଚାରେ ସର୍ବଭାରତୀୟ ସ୍ତରରେ ଏକ ସ୍ବତନ୍ତ୍ର ସୋସାଇଟି ଗଠନ କରାଯାଇ ସେଗୁଡିକରେ ଅଧ୍ୟୟନ କରୁଥିବା ଆଦିବାସୀ ଛାତ୍ରୀ, ଛାତ୍ରମାନଙ୍କୁ ଉଚ୍ଚମାନର ଶିକ୍ଷା ସାଙ୍ଗକୁ ଆବାସିକ ସୁବିଧା ପ୍ରଦାନ କରାଯିବ ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରକାଶ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଓରାମ ସୁନ୍ଦରଗଡ଼ ସର୍କିଟ ହାଉସଠାରେ ଆହୂତ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ଓଡ଼ିଶାରେ ୯୨ଟି ନୂତନ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା ହେବ। ବର୍ତ୍ତମାନ ରାଜ୍ୟରେ ୧୯ଟି ଏକଲବ୍ୟ ବିଦ୍ୟାଳୟ ଚାଲୁଥିବା ବେଳେ ୮ଟି ନିର୍ମାଣଧୀନ ଅବସ୍ଥାରେ ଅଛି। ସୋମବାର କେନ୍ଦ୍ର ସରକାରଙ୍କ କ୍ୟାବିନେଟ ଅର୍ଥ କମିଟି ଏହି ନୂଆ ବିଦ୍ୟାଳୟ ଖୋଲିବା ପାଇଁ ମଞ୍ଜୁର କରିଥିବାରୁ ମନ୍ତ୍ରୀ ଓରାମ ଭାରତ ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରେ କୃତଜ୍ଞତା ଜଣାଇଛନ୍ତି। ଏହି ବିଦ୍ୟାଳୟଗୁଡିକରେ ଷଷ୍ଠରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ପୂର୍ବବତ୍ ସିବିଏସ୍ଇ ଢାଞ୍ଚାରେ ଶିକ୍ଷା ଦିଆଯିବ। ଏଥିସହିତ ଉଭୟ ବାଳିକା, ବାଳକଙ୍କ ସକାଶେ ସ୍ବତନ୍ତ୍ର ହଷ୍ଟେଲ ସୁବିଧା ଦିଆଯିବ। ୩୨୦ ଲେଖାଏଁ ଶଯ୍ୟାବିଶିଷ୍ଟ ଛାତ୍ରାବାସ ନିର୍ମାଣ ହେବ। ୨୦କୋଟିରୁ ଆରମ୍ଭ କରି ସ୍ଥଳବିଶେଷରେ ୨୪।୨୫ କୋଟି ଲେଖାଏଁ ଅନୁଦାନ ଛାତ୍ରାବାସ ନିର୍ମାଣ ପାଇଁ ପ୍ରଦାନ କରାଯିବ।