ନୂଆଦିଲ୍ଲୀ, ୨୮/୧୨ : ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ କଂଗ୍ରେସର ଆଜି ୧୩୪ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଦଳ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପାର୍ଟି ମୁଖ୍ୟା କାର୍ଯ୍ୟାଳୟଠାରେ ଦଳୀୟ ପତାକା ଉତ୍ତୋଳନ କରିବା ସହ କେକ କାଟି ଉତ୍ସୋବ ମନାଇଛନ୍ତି । କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଶାମିଲ ଥିଲେ । ପ୍ରଥମେ ପତାକା ଉତ୍ତୋଳନ ହୋଇଥିଲା । ଏହା ପରେ ରାହୁଲ ଗାନ୍ଧୀ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହ ମିଶି କେକ କାଟିଥିଲେ । ତେବେ କଂଗ୍ରେସର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ପାର୍ଟିର କୋଷାଧ୍ୟକ୍ଷ ଅହମଦ ପଟେଲ, ବରିଷ୍ଠ ନେତା ମୋତିଲାଲ ବୋରା, ସଂଗଠନ ମହାସଚିବ ଅଶୋକ ଗହଲୋଟଙ୍କ ସମେତ ଅନେକ ବରିଷ୍ଠ ନେତା ଏବଂ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମ ପରେ ଅହମଦ ପଟେଲ ଟ୍ୱିଟ୍ କରି କହିଛନ୍ତି କି, ୧୩୩ ବର୍ଷ ପୂର୍ବରୁ ଆଜିର ଦିନରେ ଦୁନିଆର ସବୁଠୁ ବଡ ଜନଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହା ପରେ ଏହି ଆନ୍ଦୋଳନ ରାଷ୍ଟ୍ର ର୍ନିମାଣ ପ୍ରତି ନିଜକୁ ସମର୍ପିତ କରି ରଖିଛି । ଇତିହାସ ସାକ୍ଷୀ ଅଛି, ଯେଉଁମାନେ ଏହି ଆନ୍ଦୋଳନକୁ ବନ୍ଦ କରିବାକୁ ଚାହିଁଲେ ସେମାନେ ନିଜେ ଇତିହାସ ହୋଇଯାଇଛନ୍ତି ବୋଲି ସେ ଲେଖିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ମଧ୍ୟ ଏହାର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳୀୟ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ସୁଭାରମ୍ଭ କରିଛନ୍ତି । ଏହା ସହିତ ଆଗାମି ନିର୍ବାଚନରେ ଏକ ହୋଇ ଲଢିବାକୁ ଦଳୀୟ କର୍ମୀ ମାନଙ୍କୁ ଆହ୍ୱାନ କରିଛନ୍ତି । ତେବେ ଏହା ପରେ ଦଳ ପକ୍ଷରୁ ‘କଂଗ୍ରେସ ମାଇଁ ଚଏସ୍’ ନାମକ ଏକ େୱବସାଇଟ ଉନ୍ମୋଚନ ହେବାର କାର୍ୟ୍ୟକ୍ରମ ରହିଛି । ଯାହାଦ୍ୱାରା ଦଳ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ଲୋକଙ୍କ ମତ ସଂଗ୍ରହ କରିବ । ୧୮୮୫ ମସିହା ଡିସେମ୍ବର ୨୮ ତାରିଖରେ ମୁମ୍ବାଇସ୍ଥିତ ତେଜପାଲ ସଂସ୍କୃତ ମହାବିଦ୍ୟାଳୟରେ ଏହାର ସ୍ଥାପନା କରାଯାଇଥିଲା । ଦାଦା ଭାଇ ନୌରଜୀ, ଏ.ଓ ହୟୁମ ତଥା ଦିନଶା ବାଜା ୭୨ ଜଣ ପ୍ରତିନିଧିଙ୍କୁ ନେଇ ଏହାର ସ୍ଥାପନ କରିଥିଲେ ।
Prev Post