ଚଣ୍ଡିଗଡ଼, ୯/୧୨ : କାରଗିଲ୍ ଯୁଦ୍ଧ ନାମରେ ପାକିସ୍ତାନ ଭାରତ ପିଠିରେ ଛୂରା ଭୁଶିଥିଲା। ମାତ୍ର ଏହି ଯୁଦ୍ଧର ବହୁତ କମ୍ ସତ୍ୟ ଏବେ ମଧ୍ୟ ଲୋକଙ୍କ ପାଖକୁ ପହଞ୍ଚି ନାହିଁ। ଏହି ଯୁଦ୍ଧକୁ ନେଇ ହୋଇଛି ଆଉ ଏକ ଖୁଲାସା। ଏହି ଖୁଲାସା ଖୋଦ୍ ଭାରତୀୟ ଗୁଇନ୍ଦା ଏଜେନ୍ସି ‘ର’ ର ପୂର୍ବତନ ମୁଖ୍ୟ ଏଏସ ଦୁଲ୍ଲତ କରିଛନ୍ତି। ବର୍ତ୍ତମାନ ଚଣ୍ଡୀଗଡ଼ରେ ଚାଲିଛି ମିଲିଟାରୀ ଲିଟ୍ରେଚଲ ଫେଷ୍ଟ। ସେନା ସହିତ ଜଡ଼ିତ ସମସ୍ତ ଅଧିକାରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ଏହି ଅବସରରେ ‘ର’ ର ପୂର୍ବତନ ମୁଖ୍ୟ ଏଏସ ଦୁଲ୍ଲତ କହିଛନ୍ତି ଯେ କାରଗିଲ ଯୁଦ୍ଧ ଠିକ୍ ପୂର୍ବରୁ କାରଗିଲରେ ହୋଇଥିବା ଅନୁପ୍ରବେଶର ଗୁଇନ୍ଦା ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଥିଲା।
‘ଓ୍ଵିଜଡମ ଅଫ ସ୍ପାଇଜ’ ବିଷୟ ଆଲୋଚନାରେ ଯୋଗ ଦେଇ ଦୁଲ୍ଲତ କହିଛନ୍ତି ଯେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ସେନା ଦ୍ଵାରା ଏକକ୍ରିତ କରାଯାଇଥିବା ସମସ୍ତ ସଙ୍କେତ ଓ ଗୁଇନ୍ଦା ରିପୋର୍ଟ ସ୍ଵରାଷ୍ଟ୍ରମନ୍ତ୍ରୀଙ୍କୁ ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ ସେହି ସମୟରେ ଦେଶର ସ୍ଵରାଷ୍ଟ୍ର ମନ୍ତ୍ରୀ ତଥା ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଓ୍ଵାଣୀ ଥିଲେ।
ଏହା ପୂର୍ବରୁ ଲେଫ୍ଟନାଣ୍ଟ ଜେନେରାଲ କମଲ ଦାଓ୍ଵର ସମସ୍ତ ତିନି ସେନାକୁ ଏକ ସଙ୍ଗଠିତ କମାଣ୍ଡ ଅଧିନରେ ରଖିବା ଉପରେ ଯୁକ୍ତି ବାଢିଥିଲେ। ସ୍ଥଳ ସେନା, ଜଳ ସେନା ଓ ବାୟୁସେନାକୁ ସଙ୍ଗଠିତ କଲେ ଯୁଦ୍ଧ ସମୟରେ ନିଷ୍ପତ୍ତି ନେବା ପ୍ରକ୍ରିୟା ସହଜ ଢଙ୍ଗରେ ହୋଇ ପାରିବ ବୋଲି ଜେନେରାଲ ଦାଓ୍ଵର କହିଥିଲେ।