ମହାକାଳପଡା, ୩/୧: କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ବତୀଘର ପଞ୍ଚାୟତର ସ୍ଥାନୀୟ ନିପାଣିଆ ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଡଙ୍ଗା ବାଲିଘାଟ ନିକଟରେ ଭାରସାମ୍ୟ ହରାଇ ବୁଡିଯାଇଥିଲା। ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ବେଳେ ପାଣି ଭିତରରୁ ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଓ ୨ ଜଣ ମହିଳା ଅଛନ୍ତି। ଆଉ ଜଣେ ୬ ବର୍ଷର ନାବାଳିକା ନିଖୋଜ ଥିବା ଜଣାପଡ଼ିଛି। ବାକି ୪୫ ଜଣ ସୁରକ୍ଷିତ ଅଛନ୍ତି। ଡଙ୍ଗାରେ ପାଖାପାଖି ୫୫ ଜଣ ଥିଲେ ବୋଲି ସୂଚନା ମିଳିଛି। ବୁଧବାର ରାତି ୩ଟା ଯାଏ ଉଦ୍ଧାର କାର୍ଯ୍ୟ ଚାଲିଥିଲା। ପୋଲିସ ଡଙ୍ଗା ଚାଳକ ନିର୍ଭୟ ସ୍ବାଇଁ(୨୬)ଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ, ମୃତକମାନେ ଜଗତସିଂହପୁର ଜିଲା କୁଜଙ୍ଗ ଅଞ୍ଚଳ ହସିଣା ଗାଁର ବୋଲି ଜଣାପ ସମସ୍ତେ ପିକନିକ୍ ସାରି ହୁକିଟୋଲା ବତୀଘରରୁ ଫେରୁଥିବା ବେଳେ କେନ୍ଦ୍ରାପଡ଼ାର ନିପାଣିଆର ମହାନଦୀ ମୁହାଣରେ ଏହି ଅଘଟଣ ଘଟିଥିଲା। ଡଙ୍ଗାରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିବାରୁ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି। ଖବର ମିଳିବା ସାଙ୍ଗେ ସାଙ୍ଗେ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ। ପରେ ଅଗ୍ନିଶମ ବାହିନୀ, ଓଡ୍ରାଫ ଓ କୋଷ୍ଟଗାର୍ଡ ଟିମ ବି ଏଥିରେ ନିୟୋଜିତ ହୋଇଥିଲେ। କେନ୍ଦ୍ରାପଡ଼ା ଜିଲାପାଳ ଓ ଉପଜିଲ୍ଲାପାଳ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ମୃତଦେହ ଗୁଡ଼ିକୁ ବନ ବିଭାଗର ଡଙ୍ଗାରେ ପ୍ରଥମେ ପାରାଦୀପ ନିକଟସ୍ଥ ଚଉମୁହାଣିକୁ ଅଣାଯିବ। ତା ପରେ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯିବ ବୋଲି ଜଣାପଡ଼ିଛି।