ନୂଆଦିଲ୍ଲୀ,୩୧/୭:ସୁପ୍ରିମକୋର୍ଟରେ ମାମଲା ସଂଖ୍ୟା ବଢ଼ୁଥିବାରୁ ଆଜି କେନ୍ଦ୍ର କ୍ୟାବିନେଟ୍ ଗୁରୁତ୍ଷପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ୩୧ରୁ ୩୪କୁ ବୃଦ୍ଧି କରିବା ପାଇଁ ଆଜି କେନ୍ଦ୍ର କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଛି।
ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, “ଏବେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କୁ ଛାଡ଼ି ବିଚାରପତିଙ୍କ ସଂଖ୍ୟା ୩୦ ରହିଛି। ହେଲେ ଆଜି କ୍ୟାବିନେଟ୍ ଏହି ସଂଖ୍ୟାକୁ ୩୩କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।
ଏଣିକି ପ୍ରଧାନ ବିଚାରପତିଙ୍କୁ ମିଶାଇ ସୁପ୍ରିମକୋର୍ଟରେ ୩୪ ଜଣ ବିଚାରପତି କାର୍ଯ୍ୟ କରିବେ। ଏହି ନୂଆ ପ୍ରସ୍ତାବକୁ ସଂସଦରେ ଉପସ୍ଥାପିତ କରାଯିବ। ସଂସଦରେ ଏହି ପ୍ରସ୍ତାବ ପାସ୍ ହୋଇଗଲେ ବିଚାରପତିଙ୍କ ସଂଖ୍ୟା ୩୪ରେ ପହଞ୍ଚିଯିବ।
୨୦୦୯ରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ୨୫ରୁ ୩୦କୁ ବୃଦ୍ଧି କରାଯାଇଥିଲା। ଏଥିରେ ପ୍ରଧାନ ବିଚାରପତିଙ୍କୁ ମିଶାଇଲେ ବିଚାରପତିଙ୍କ ସଂଖ୍ୟା ୩୧ରେ ପହଞ୍ଚିଥିଲା। ବର୍ତ୍ତମାନ ସୁପ୍ରିମକୋର୍ଟରେ ୩୧ ଜଣ ବିଚାରପତି ପଦ ପୂରଣ ହୋଇଛି।”
ମାମଲା ସଂଖ୍ୟା ବଢ଼ୁଥିବାରୁ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବାକୁ କହିଥିଲେ।