କୋଲ୍‌ ବ୍ଲକ୍‌ ମାମାଲରେ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ୩ଟି ପ୍ରଶ୍ନ

0

ଭୁବନେଶ୍ୱର,୨୮/୩ : କୋଲ୍‌ ବ୍ଲକ୍‌ ଆବଣ୍ଟନରେ ସଂପୃକ୍ତିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ତିନୋଟି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖଣି ଲିଜ୍‌ ଦିଆଯାଇଥିବା ମହାରାଷ୍ଟ୍ରର ଜି.ଡି ଡାଗା କିଏ ? ଏହି ମାମଲାରେ ନବୀନଙ୍କୁ ସିବିଆଇ ଜେରା କରିଛି କି ନାହିଁ ? ନାମାଙ୍କନ ସତ୍ୟପାଠରେ ନବୀନ ଏହାକୁ ଉଲ୍ଲେଖ କରିଛନ୍ତି କି ନାହିଁ ? ଏହି ପ୍ରଶ୍ନକୁ ନବୀନଙ୍କ ପାଇଁ ଛାଡ଼ିଛନ୍ତି ଧର୍ମେନ୍ଦ୍ର । ଯେପର୍ଯ୍ୟନ୍ତ ଏହାର ଉତ୍ତର ନ ମିଳିଥିବା ସେ ପର୍ଯ୍ୟନ୍ତ ବାରମ୍ବାର ପ୍ରଶ୍ନ କରାଯିବ ବୋଲି ଧର୍ମେନ୍ଦ୍ର ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

୧୯୯୯ରେ ପଞ୍ଜିକୃତ ହୋଇଥିବା କମ୍ପାନୀକୁ ୧୯୯୮ ରେ କୋଇଲା ଖଣି ଦେଇଛନ୍ତି ତତ୍କାଳୀନ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ନବୀନ ପଟ୍ଟନାୟକ । ସିବିଆଇ ଅନୁସାରେ ଭୂତ କମ୍ପାନୀକୁ କୋଇଲା ଖଣି ଲିଜ୍‌ ଦେଇଛନ୍ତି । ୧୯୯୮ ମସିହାରେ ଏମ୍‌/ଏସ୍‌ ସେଣ୍ଟ୍ରାଲ କୋଲିଆରିଜ୍‌ କୋ. ଲିମିଟେଡ୍‌କୁ କୋଇଲା ଖଣି ମିଳିଥିଲା । ମହାରାଷ୍ଟ୍ର ତକ୍‌ଲି-ଜେନା ବେଲୋରା କୋଲ୍‌ ଫିଲ୍ଡକୁ କମ୍ପାନୀକୁ ଦିଆଯାଇଥିଲା । କିନ୍ତୁ ପଞ୍ଜିକୃତ ହେବା ପୂର୍ବରୁ କମ୍ପାନୀକୁ ଏହି କୋଇଲା ଖଣି ମିଳିଛି ବୋଲି ସିବିଆଇ କହିଛି । ନାଗପୁରର ଜି.ଡି ଡାଗାଙ୍କ କମ୍ପାନୀକୁ ଖଣି ଲିଜ୍‌ ଦିଆଯାଇଛି । ତେଣୁ ପ୍ରଥମ ପ୍ରଶ୍ନ ଧର୍ମେନ୍ଦ୍ର ପଚାରିଛନ୍ତି, ‘‘ ଏ ଜି.ଡି ଡାଗା କିଏ ?

ସେହିପରି ଏହି ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଜେରା କରିଛି କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ଦାଖଲ କରିଥିବା ନାମାଙ୍କନ ସତ୍ୟପାଠରେ ଏ ନେଇ କହିଛନ୍ତି କି ନାହିଁ ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ଯେ ପର୍ଯ୍ୟନ୍ତ ଏହି ତିନୋଟି ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀ ନ ଦେଇଥିବେ ସେ ପର୍ଯ୍ୟନ୍ତ ବାରମ୍ବାର ପଚରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.