ଗାନ୍ଧୀଙ୍କୁ ନେଇ ଆଜି ପୁଣି ବିଧାନସଭାରେ କଂଗ୍ରେସ-ବିଜେପି ମୁହାଁମୁହିଁ

0

ଭୁବନେଶ୍ୱର,୩୦/୭: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ନେଇ ଗତକାଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ମଧ୍ୟରେ ବିଧାନସଭାରେ ହୋଇଥିବା ଆରୋପ ଓ ପ୍ରତିଆରୋପକୁ କେନ୍ଦ୍ର କରି ଆଜି ପୁଣି ଗୃହରେ ଦୁଇ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି । ବିଜେପି ବିଧାୟକ ଦଳ ଉପନେତା ଶ୍ରୀ ସେଠୀ ଉଚ୍ଚାରଣ କରିଥିବା ଦୁଇ କଂଗ୍ରେସ ନେତାଙ୍କ ନାମ ଗୃହର ବିବରଣୀରୁ ବାଦ୍‌ ଦେବା ପାଇଁ କଂଗ୍ରେସ ବିଧାୟକମାନେ ଦାବି କରି ଗୃହରେ ହୋହଲ୍ଲା କରିଥିଲେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହା ଅନୁଧ୍ୟାନ କରିବେ ବୋଲି କହିଥିଲେ।

ଆଜି ଶୂନ୍ୟ କାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉତ୍‌ଥାପନ କରି କହିଲେ ଯେ, ଗତକାଲି ସେ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ପାଳନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପେକ୍ଷା ନେଇ କ୍ଷୋଭ ପ୍ରକାଶ କରିଥିବା ବେଳେ କୌଣସି ଦଳ ପ୍ରତି ଆକ୍ଷେପ କରିନାହାନ୍ତି। ତେବେ ବିଜେପି ବିଧାୟକ ଦଳ ଉପନେତା ଶ୍ରୀ ସେଠୀ ଉତ୍ତ୍ୟକ୍ତ ହୋଇ ଗୃହରେ କଂଗ୍ରେସ ନେତା ମଣିଶଙ୍କର ଆୟାର୍‌ ଏବଂ ନବଜୋତ ସିଂ ସିଦ୍ଧୁଙ୍କର ନାମ ଉଚ୍ଚାରଣ କରିଥିଲେ। ସେ ଦୁହେଁ ବିଧାନସଭାର ସଭ୍ୟ ହୋଇ ନ ଥିବାରୁ ସେମାନଙ୍କ ସଂପର୍କରେ କୌଣସି ମନ୍ତବ୍ୟ ଦିଆଯାଇପାରିବ ନାହିଁ ବୋଲି ସେ ଯୁକ୍ତି ଦର୍ଶାଇ ତାହା ଗୃହର ବିବରଣୀରୁ ବାଦ୍‌ ଦେବା ପାଇଁ ଦାବି କରିଥିଲେ।

କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଓ ତାରା ପ୍ରସାଦ ବାହିନୀପତି ପ୍ରମୁଖ ଏହି ଏହି ଦାବିକୁ ସମର୍ଥନ ଜଣାଇ ଗୃହର ମଧ୍ୟଭାଗକୁ ଯାଇ ହଟ୍ଟଗୋଳ କରିଥିଲେ। ବିଜେପି ବିଧାୟକ ଦଳ ଉପନେତା ଶ୍ରୀ ସେଠୀ ତାଙ୍କର ସ୍ପଷ୍ଟୀକରଣ ଦେବାକୁ ଯାଇ କହିଥିଲେ ଯେ, ଗୃହରେ ସଦସ୍ୟ ନ ଥିବା ବହୁ ବ୍ୟକ୍ତିବିଶେଷଙ୍କ ନାମ ଅତୀତରେ ଗୃହରେ ବହୁବାର ଉଚ୍ଚାରିତ ହୋଇଛି। ତେବେ ଏହି ନିୟମକୁ ଯଦି ଆଜି ଉଲ୍ଲେଖ କରାଯାଉଛି,ସବୁବେଳେ ତାହା କଡ଼ାକଡ଼ି ଓ ନିଷ୍ଠାର ସହ ପାଳନ କରାଯାଉ ବୋଲି ସେ ଆହ୍ଵାନ ଦେଇଥିଲେ।

ବିବରଣୀରୁ ନାମ ବାଦ୍‌ ଦେବା ନେଇ ଉଭୟ କଂଗ୍ରେସ ଓ ବିଜେପି ବିଧାୟକଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ତେବେ ବାଚସ୍ପତି ଶ୍ରୀ ପାତ୍ର ଏହି ବିଷୟ ଅନୁଧ୍ୟାନ କରି ଆବଶ୍ୟକ ହେଲେ ବିବରଣୀରୁ ବାଦ୍‌ ଦେବେ ବୋଲି ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

SBI AD
Leave A Reply

Your email address will not be published.